Categories: ଫୁରସତ

ପ୍ରବଳ ବନ୍ୟା ମଧ୍ୟରେ ବିବାହ ବନ୍ଧନରେ ବାନ୍ଧିହେଲେ ବର-କନ୍ୟା: ଲିଫ୍ଟ ଦେଲା ହେଲିକପ୍ଟର

ବର୍ତ୍ତମାନ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସେଠାରେ ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି। ସେଠାରୁ ଏମିତି ଏକ ଖବର ଏବେ ସାମ୍ନାକୁ ଆସିଛି, ଯାହାକୁ କେହି ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି। ଅଷ୍ଟ୍ରେଲିଆର ବନ୍ୟା ପରିସ୍ଥିତି ମଧ୍ୟ ଏକ ବିବାହ ଅନୁଷ୍ଠିତ ହୋଇଛି।
ଗତ କିଛି ଦିନ ହେବ ନ୍ୟୁ ସାଉଥ୍‌ରେ ପ୍ରବଳ ବର୍ଷା ହେଉଛି। ଖରାପ ପାଗ ଯୋଗୁ ୧୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଖାଲି ସେତିକି ନୁହେଁ, ସମସ୍ତ ରାସ୍ତା ପାଣି ମଧ୍ୟରେ ବୁଡ଼ି ଯାଇଥିବା ବେଳେ ଅନେକ ଗଛ ମଧ୍ୟ ଉପୁଡିପଡ଼ିଛି। ଏହାରି ଅବସ୍ଥାରେ କେଟ୍‌ ଫୋଦେରିଙ୍ଗହମ୍‌ ଏବଂ ଓ୍ବେନ୍‌ ବେଲ ବିବାହ କରିଛନ୍ତି।
ସେମାନଙ୍କ ବିବାହ ମାର୍ଚ୍ଚ ୨୦ରେ ହେବା ନେଇ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ସେମାନେ ବନ୍ୟା ଜଳରେ ଫସିଯାଇଥିଲେ। ଏହା ସତ୍ତ୍ୱେ ମଧ୍ୟ ସେମାନେ ନିଜ ବିବାହକୁ ସ୍ଥଗିତ ରଖିବାକୁ ଚାହୁଁ ନ ଥିଲେ। ସେମାନଙ୍କ ବିବାହ ମିଡ୍‌ ନର୍ଥ କୋଷ୍ଟରେ ହେବାର ରହିଥିଲା। ତେଣୁ ବିଳମ୍ବ ନ କରି କେଟ୍‌ ସାହାଯ୍ୟ ମାଗିଥିଲେ। ତାଙ୍କୁ ସାହାଯ୍ୟ କରିବା ପାଇଁ ଏଫିନିଟି ହେଲିକପ୍ଟର କମ୍ପାନୀର ଏକ ହେଲିକପ୍ଟର ସେଠାରେ ପହଞ୍ଚିଲା। ହେଲିକପ୍ଟର ବର, କନ୍ୟାଙ୍କ ସହ ସେମାନଙ୍କ ମାତା, ପିତାଙ୍କୁ ବିବାହ ସ୍ଥଳକୁ ନେଇଗଲା। ତାଙ୍କ ଘରଠାରୁ ମାତ୍ର ୫ ମିନିଟ ଦୂରରେ ଥିବା ଏକ ଚର୍ଚ୍ଚରେ ଉଭୟ ବିବାହ କରିଛନ୍ତି। କେଟ୍‌ ଏବଂ ଓ୍ବେନଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share