ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର ଦିଗପହଣ୍ଡି ପୋଲିସ ଏକ ହତ୍ୟା ଉଦ୍ୟମ ମାମଲାରେ ସମ୍ପୃକ୍ତ ଥିବା ଦର୍ଶାଇ ଗିରଫ କରିଛି। ପରେ ଅପରାହ୍ନରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଥାନା ମାମଲା ନଂ. ୨୩୪/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଦମ୍ପତିଙ୍କୁ ଦିଗପହଣ୍ଡି ସବ୍ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ଗତ ଜୁନ୍ ୨୯ ତାରିଖରେ ପାରିବାରିକ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତ ଦମ୍ପତି ଏବଂ ତାଙ୍କ ପୁଅ ପ୍ରଭାକର ଦାସ ଓରଫ ବୁଡ଼ୁ ତାଙ୍କ ସାହିର ଗୋପୀନାଥ ଦାସ ଏବଂ ତାଙ୍କ ପରିବାର ଲୋକଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।
ଏନେଇ ଗୋପୀନାଥଙ୍କ ପୁଅ ଦିଲ୍ଲୀପ ଦାସ ଘଟଣା ଦିନ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ପୋଲିସ ପୂର୍ବରୁ ଏହି ମାମଲାରେ ସମ୍ପୃକ୍ତ ପ୍ରଭାକର ଓରଫ ବୁଡ଼ୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଘଟଣା ପରଠାରୁ ଅଭିଯୁକ୍ତ ଦମ୍ପତି ଗିରଫ ଭୟରେ ଫେରାର ଥିଲେ। ଉଭୟେ ଘରକୁ ଫେରିଥିବା ଖବର ପାଇ ପୋଲିସ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ସାହିରେ ପହଞ୍ଚି ଉଭୟଙ୍କୁ ଗିରଫ କରିଥିଲା।