ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଦେହାନ୍ତ ପରେ ପ୍ୟାଲେସ ଆଗରେ ନାଚିଲେ ଦମ୍ପତି

ଲଣ୍ଡନ,୯ା୯: ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କର ଗୁରୁବାର ରାତିରେ ଦେହାନ୍ତ ହୋଇଛି। ଭାରତ ସମେତ ଅନ୍ୟ ଦେଶର ରାଜନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବ୍ରିଟେନରେ ଶୋକର ଲହରୀ ଖେଳିଯାଇଛି। ଗତକାଲି ଯେତେବେଳେ ବକିଂହାମ ପ୍ୟାଲେସ ଦ୍ୱାରା ଏହି ସୂଚନା ଦିଆଯାଇଥିଲା, ସେତେବେଳେ ଲୋକମାନେ ଧୀରେ ଧୀରେ ରାଜପ୍ରାସାଦ ବାହାରେ ଏକାଠି ହେବା ଆରମ୍ଭ କରିଥିଲେ। ଏହି ସମୟରେ ଏକ ଦମ୍ପତି ଡ୍ୟାନ୍ସ କରିଥିବା କ୍ୟାମେରାରେ କଏଦ ହୋଇଛି।

ଯେତେବେଳେ ଲୋକମାନେ ସେମାନଙ୍କର ପ୍ରିୟ ରାଣୀଙ୍କୁ ହରାଇ ବର୍ଷାରେ ଛତା ଧରି ଠିଆ ହୋଇଥିଲେ ସେହି ପ୍ୟାଲେସ ବାହାରେ ନାଚୁଥିବା ଏକ ଦମ୍ପତି ଆଡ଼କୁ କ୍ୟାମେରା ବୁଲିଥିଲା। ଏହି ଦମ୍ପତି ହସୁଥିବାର ଦେଖାଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ରାଜପ୍ରାସାଦ ବାହାରେ ଭିଡ଼ ଭିତରେ ଠିଆ ହୋଇ କ୍ୟାମେରାକୁ ଚାହିଁ ହସିବା ସହ ହସୁଥିଲେ, ସେଲ୍‌ଫି ନେଇଥିଲେ। ଏପରିକି ଡ୍ୟାନ୍ସ ମଧ୍ୟ କରିଥିଲେ।

ଅଧିକାଂଶ ଲୋକ ଦୁଃଖରେ ବୁଡ଼ିଥିବା ବେଳେ ଏହି ଦମ୍ପତି ହସୁଥିଲେ। ଯାହାର ଏକ ଭିଡିଓ କେହି ରେକର୍ଡିଂ କରି ସୋସିଆଲ ମିଡିଆରେ ଶେୟାର କରିଦେଇଛନ୍ତି। ଏବେ ଏହା ଖୁବ୍‌ ଭାଇରାଲ ହେଉଛି।

ଲୋକମାନେ ଏହି ଭିଡିଓ ଦେଖିବା ପରେ ପ୍ରଚଣ୍ଡ ରାଗିଛନ୍ତି। ଭିଡିଓ ଶେୟାର କରିଥିବା ବ୍ୟକ୍ତି କ୍ୟାପଶନରେ ଲେଖିଛନ୍ତି, ଏହି ଦୁଇ ମୁର୍ଖଙ୍କ ସାମ୍ନାରୁ କ୍ୟାମେରା ହଟାଇବା ଉଚିତ। ସେହିପରି ଅନ୍ୟ ଜଣେ ଲେଖିଛନ୍ତି,କ୍ୟାମେରା ଆଗରେ ସେହି ଦୁଇ ମୁର୍ଖ ନାଚୁଥିବା ଦେଖି ଆଉ କେହି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି କି?

Share