ନମ୍ବର ବିହୀନ ପିକ୍‌ଅପ ଭ୍ୟାନ୍‌ ଧକ୍କାରେ ଦମ୍ପତି ଗୁରୁତର: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ଚାନ୍ଦବାଲି,୩।୧୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ମୁଖ୍ୟ ରାସ୍ତା ଉଗ୍ରତାରା ମୁନିଛକ ନିକଟରେ ଏକ ନମ୍ବର ବିହୀନ ପିକଅପ୍‌ ଭ୍ୟାନ ଧକ୍କାରେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓରାସାହି ପଞ୍ଚାୟତ ବାଘଟନା ଗାଁର ଦେବବ୍ରତ ରାଉଳ ଏବଂ ତାଙ୍କ ସ୍ତ୍ରୀ ଅନିତା ରାଉଳ। ଧକ୍କା ପରେ ପିକ୍‌ଅପ୍‌ ଭ୍ୟାନ୍‌ଟି ରାସ୍ତା କଡ଼ରେ ଥିବା ପୋଖରୀରେ ଓଲଟିପଡ଼ିଥିଲା ।
ସ୍ଥାନୀୟ ଲୋକେ ଦମ୍ପତିଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ସ୍ତ୍ରୀ, ସ୍ବାମୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି। ଉଭୟଙ୍କୁ ଚାନ୍ଦବାଲି ମେଡ଼ିକାଲରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ ପହଞ୍ଚି ପିକ୍‌ଅପ୍‌ ଭ୍ୟାନ ଚାଳକଙ୍କୁ କାବୁ କରି ନେଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଭଦ୍ରକ-ଚାନ୍ଦବାଲି ରାସ୍ତାରୋକୋ କରିଛନ୍ତି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି।