ଋଣଭାରରେ ଦମ୍ପତିଙ୍କ ଆତ୍ମହତ୍ୟା

ଖୋର୍ଦ୍ଧା ଅଫିସ,୨।୭(ପ୍ରଭାତ ପାଣିଗ୍ରାହୀ) : ପୁରୀ ଜିଲା କଣାସ ବ୍ଲକ ଅଁଳାଯୋଡିରେ ଘରୋଇ ଫାଇନାନ୍ସ କମ୍ପାନୀର ଦାଦାଗିରି । କମ୍ପାନୀ କର୍ମଚାରୀଙ୍କ ଦୌରାତ୍ମ, ଋଣ ଶୁଝିବା ପାଇଁ ମାନସିକ ଚାପରୁ ରବିବାର ଭୋର ସମୟରେ ବୃଦ୍ଧ ଦମ୍ପତିଙ୍କ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଦମ୍ପତି ବାନାମ୍ବର ବେହେରା(୬୦) ଏବଂ ବନିତା(୫୩) ।
ଶନିବାର ଫାଇନାନ୍ସ କମ୍ପନୀର କର୍ମଚାରୀମାନେ କିସ୍ତି ଟଙ୍କା ପାଇଁ ଘରେ ପହଁଞ୍ଚିଥିଲେ। ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ କିସ୍ତି ଟଙ୍କା ପାଇଁ ଘରେ ବସି ରହିଥିଲେ । ବୃଦ୍ଧ ଦମ୍ପତିଙ୍କ ପାଖରେ ଟଙ୍କା ନ ଥିବା ଜାଣିବା ପରେ ବି କର୍ମଚାରୀମାନେ ଘରୁ ବାହାରି ନ ଥିଲେ । ଶେଷରେ ଭୋରୁ ଘର ଭିତରେ ସ୍ବାମୀ ସ୍ତ୍ରୀ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଟାଉନ ପୋଲିସ ଶବ ଜବତ କରି ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇ କଣାସ ପୋଲିସକୁ ଖବର ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁି। ମୃତ ଦମ୍ପତିଙ୍କ ପୁଅ ପ୍ରମୋଦ କୁହନ୍ତି ଫାଇନାନ୍ସ କମ୍ପାନୀର ଦୌରାତ୍ମରୁ ବାପାମାଆଙ୍କ ଜୀବନଗଲା। ଆମେ ବାପଛେଉଣ୍ଡ ହୋଇଗଲୁ। ସଂପୃକ୍ତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ସୂଚନା ମୁତାବକ, ବାନାମ୍ବର ଜଣେ ଦିନ ମଜୁରିଆ। ଦୁଇ ପୁଅ ପ୍ରମୋଦ ଓ ପ୍ରଶାନ୍ତ ଭୁବନେଶ୍ବରରେ ରହି କାମ କରୁଛନ୍ତି। ଗତ କିଛିଦିନ ତଳେ ବାନାମ୍ବର ଘରୋଇ ଫାଇନାନ୍ସ କମ୍ପାନୀ ଠାରୁ ଟଙ୍କା ଋଣ ନେଇଥିଲେ। ଠିକ ସମୟରେ ସୁଝି ନ ପାରିବାରୁ ସୁଧହାର ବଢି ଚାଲିଥିଲା। ଏପଟେ କମ୍ପାନୀ କର୍ମଚାରୀ ତାଙ୍କ ଦ୍ବାର ପହଞ୍ଚି ଟଙ୍କା ସୁଝିବା ପାଇଁ ବାରମ୍ବାର ହଇରାଣ କରୁଥିଲେ। ଋଣଭାର, କର୍ମଚାରୀଙ୍କ ଦୌରାତ୍ମ ଯୋଗୁ ଦମ୍ପତି ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ। ଶେଷରେ ଋଣଭାରକ୍ରାନ୍ତିରୁ ମୁକ୍ତି ଲାଗି ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେବାକୁ ପଛାଇ ନ ଥିଲେ।