ଦେଶର ଗରିବ ବିଧାୟକ: ଆକାଉଣ୍ଟରେ ରହିଛି ୧ ଟଙ୍କା…

କୋଲକାତା,୨୩।୭ : ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏବଂ ନ୍ୟାଶନାଲ ଇଲେକ୍ସନ ୱାଚ (ଏନଇଡବ୍ଲୁ) ନିକଟରେ ସମଗ୍ର ଭାରତରେ ରାଜ୍ୟର ବିଧାନସଭା ତଥା କେନ୍ଦ୍ର ଶାସିତ ଅଞ୍ଚଳର ସିଟିଂ ବିଧାୟକଙ୍କ ସତ୍ୟପାଠକୁ ବିଶ୍ଳେଷଣ କରିଛି। ଗତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ ବିଧାୟକଙ୍କ ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠରୁ ଏହି ତଥ୍ୟ ବାହାର କରାଯାଇଥିଲା। ୨୮ଟି ରାଜ୍ୟର ବିଧାନସଭା ଏବଂ ଦୁଇଟିକେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ୪,୦୩୩ ବିଧାୟକଙ୍କ ମଧ୍ୟରୁ ୪,୦୦୧ଙ୍କର ସତ୍ୟପାଠ ବିଶ୍ଳେଷଣ କରାଯାଇଥିଲା।

ବିଶ୍ଳେଷଣରୁ ଜଣାପଡିଛି ଭାରତୀୟ ଜନତା ପାର୍ଟି ବିଧାୟକ ନିର୍ମଳ କୁମାର ଧାରା ହେଉଛନ୍ତି ଭାରତର ସବୁଠାରୁ ଗରିବ ବିଧାୟକ। ତାଙ୍କ ପ୍ରମାଣପତ୍ର ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତି ମାତ୍ର ୧,୭୦୦ ଟଙ୍କା। ୩୧ ମାର୍ଚ୍ଚ ୧୯୮୨ ରେ ଜନ୍ମ ହୋଇଥିବା ନିର୍ମଳଙ୍କର ବ୍ୟାଙ୍କ ଆକାଉଣ୍ଟରେ ଗୋଟିଏ ଟଙ୍କା ନାହିଁ, ଘର କିମ୍ବା ଗାଡି ନାହିଁ ଏବଂ ତାଙ୍କ ନାମରେ ବୀମା ପଲିସି ନାହିଁ। ସତ୍ୟପାଠ ଅନୁଯାୟୀ ତାଙ୍କର କୌଣସି ବ୍ୟକ୍ତିଗତ ଋଣ ନାହିଁ ଏବଂ କୌଣସି ଅଳଙ୍କାର ନାହିଁ। ତାଙ୍କ ଆକାଉଣ୍ଟରେ ୧ ଟଙ୍କା ରହିଛି ।

ଭାରତର ସବୁଠାରୁ ଗରିବ ବିଧାୟକ ନିର୍ମଳ କୁଶମୁରୀ ଗାଁର ବାସିନ୍ଦା। ତାଙ୍କ ନାମରେ ନା ଜମି ଅଛି ନା କୌଣସି ବ୍ୟବସାୟିକ କିମ୍ବା ଆବାସିକ କୋଠାର ମାଲିକାନା । ଜଣେ ବିଧାୟକ ହେବା ପୂର୍ବରୁ ତାଙ୍କର ଏକମାତ୍ର ଆୟର ଉତ୍ସ ଥିଲା ତାଙ୍କ ଟୂ୍ୟସନ। ସେ ଜଣେ ଘରୋଇ ଶିକ୍ଷକ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଅନୁରାଧା ଧାରା ଜଣେ ଗୃହିଣୀ। ଏହି ଦମ୍ପତିଙ୍କର ଅନ୍ବେଶା ଧାରା ନାମକ ଜଣେ ଝିଅ ଅଛନ୍ତି। ନିର୍ମଳ ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ଏମ କରିଛନ୍ତି। ସେ ୨୦୦୯ରେ ନିଜର ସ୍ନାତକୋତ୍ତର ସମାପ୍ତ କରିଥିଲେ। ସେ ଇନ୍ଦାସୀ ରାଜଖମାର ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ିଥିଲେ।

ନିର୍ମଳ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବାଙ୍କୁରା ଜିଲାର ଇନ୍ଦାସ ନିର୍ବାଚନମଣ୍ଡଳୀରୁ ଭାଜପା ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଅନୁସୂଚିତ ଜାତି ପାଇଁ ଇନ୍ଦସ ନିର୍ବାଚନମଣ୍ଡଳୀ ସଂରକ୍ଷିତ। ସେ ଟିଏମସିର ରନୁ ମେଟେଙ୍କୁ ୭,୨୨୦ଭୋଟରେ ପରାସ୍ତ କରିଥିଲେ।

 

Share