Categories: ଜାତୀୟ

୨୦୨୭ରେ ଦେଶକୁ ମିଳିପାରନ୍ତି ପ୍ରଥମ ମହିଳା ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୧୮।୮: ସୁପ୍ରିମକୋର୍ଟରେ ବିଚାରପତିଙ୍କ ୯ ଟି ଖାଲି ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିୟମର ବୈଠକ ପରେ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିଶ କେନ୍ଦ୍ରକୁ ପଠାଯାଇଛି। ତାଲିକାରେ ୩ ଜଣ ମହିଳା ବିଚାରପତି ଙ୍କ ନାମ ରହିଛି। ଏଥିସହ ଜଣେ ବରିଷ୍ଠ ଓକିଲଙ୍କୁ ସୁପ୍ରିମକୋର୍ଟରେ ସିଧାସଳଖ ନିଯୁକ୍ତି ପାଇଁ ମଧ୍ୟ ସୁପାରିଶ କରାଯାଇଛି। ସୁପାରିଶ ପାଇଁ କେନ୍ଦ୍ରକୁ ପଠାଯାଇଥିବା ତାଲିକାରେ ତେଲେଙ୍ଗାନା ହାଇକୋର୍ଟର ପ୍ରଧାନ ବିଚାରପତି ହିମା କୋହଲି, କର୍ନାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ବି.ଭି ନାଗରାଥନା, ଗୁଜୁରାଟ ହାଇକୋର୍ଟର ଜଜ ବେଲା ତ୍ରିବେଦୀ, କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ଏସ ଓକା, ଗୁଜୁରାଟ ହାଇକୋର୍ଟର ପ୍ରଧାନ ବିଚାରପତି ବିକ୍ରମ ନାଥ,ସିକିମ ହାଇକୋର୍ଟର ପ୍ରଧାନ ବିଚାରପତି ଜେ.କେ ମହେଶ୍ୱରୀ, କେରଳ ହାଇକୋର୍ଟର ବିଚାରପତି ଜଷ୍ଟିସ ସିଟି ରବିନ୍ଦ୍ରକୁମାର, ମାଡ୍ରାସ ହାଇକୋର୍ଟର ବିଚାରପତି ଏମ.ଏମ ସୁନ୍ଦରେଶ ପ୍ରମୁଖଙ୍କ ନାମ ରହିଛି। ସେହିପରି ବରିଷ୍ଠ ଆଡଭୋକେଟ ପିଏସ ନରସିଂହଙ୍କୁ ସିଧାସଳଖ ସୁପ୍ରିମକୋର୍ଟର ବିଚାରପତି କରିବାକୁ ସୁପାରିଶ କରାଯାଇଛି।

ଯଦି କେନ୍ଦ୍ର ଏହି ସମସ୍ତ ସୁପାରିଶକୁ ଗ୍ରହଣ କରେ, ତେବେ ଭବିଷ୍ୟତରେ ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ବି.ଭି ନାଗରାଥନା ଏବଂ ପିଏସ ନରସିଂହ ଭାରତର ପ୍ରଧାନ ବିଚାରପତି ହୋଇପାରିବେ। ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ କୌଣସି ମହିଳା ପ୍ରଧାନ ବିଚାରପତି ହୋଇ ନାହାଁନ୍ତି। କେନ୍ଦ୍ର ଏହି ସୁପାରିଶ୍‌କୁ ମଞ୍ଜୁର କଲେ ଜଷ୍ଟିସ ନାଗରାଥନା ୨୦୨୭ରେ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାର ସମ୍ଭାବନା ରହିଛି।

Share