ସହର ସାରା ଦେଶୀ ମଦ ପାଉଚ ବିକ୍ରି

ରାଉରକେଲା ଅଫିସ, ୮ା୬: ରାଉରକେଲା ସହରରେ ପ୍ରାୟ ୧୪ ମାସ ହେଲା ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟି ଖୋଲୁନାହିଁ। ତଥାପି ସହର ସାରା ଦେଶୀ ମଦ ପାଉଚ ବିକ୍ରି ଚାଲିଛି। ଦେଶୀ ମହୁଲି ମଦ ଚୋରା କାରବାର ଓ ଦେଶୀ ମଦ ପାଉଚ ଖୁଚୁରା ବ୍ୟବସାୟ ବଢିବାରେ ଲାଗିଛି। ସହରର ପ୍ରତି ଗଳିକନ୍ଦିରେ ବେଧଡ଼କ ଚାଲିଛି ଏହି କାରବାର। ଟ୍ରାଫିକ ଗେଟ୍‌ ବଜାରରୁ ଆରମ୍ଭ କରି ମାଲଗୋଦାମ, ତିଲିକାନଗର, ବନ୍ଧମୁଣ୍ଡା, ଗୋପବନ୍ଧୁପାଲି, ରେଲଓ୍ବେ କଲୋନୀ, ମଧୁସୂଦନପାଲି, ଇନ୍ଦିରା ନଗର, ଟିମ୍ବର କଲୋନୀ, ଗଙ୍ଗାଧରପାଲୀ, ସେକ୍ଟର-୨ ଖରିଆ ବାହାଳ ବସ୍ତି, ସେକ୍ଟର-୫ ଗୋଲଘର, କବି ସମ୍ରାଟପାଲି, ସୁଭାଷପାଲି, ତାରାତାରିଣୀପାଲୀ, ବାଗୁଡି ବସ୍ତି, ପାନପୋଷର ମଣିଲଲୋନୀ, ବାଂଲାଟୋଲୀ, ଦେଓଗାଁ, ବେଦବ୍ୟାସୀରେ ବ୍ୟାପକ ଦେଶୀ ମଦ କାରବାର ଚାଲିଛି।
ସୂଚନା ଅନୁସାରେ, ରାଉରକେଲା ଅବକାରୀ ଜିଲାର ବିରମିତ୍ରପୁର, ଜବାଘାଟ, କୋଇଡା, ରାଉରକେଲା, କୁଆଁରମୁଣ୍ଡା, ଡୁମେର୍ତା ଓ ବଣେଇ ଆଦି ୭ଟି ସ୍ଥାନରେ ପାଉଚ ମଦ ପ୍ରସ୍ତୁତି ଓ ବିକ୍ରି ପାଇଁ ଅନୁମତି ରହିଛି। ଉକ୍ତ ମଦଭାଟିଗୁଡିକରୁ ରାଉରକେଲା, କୁଆଁରମୁଣ୍ଡା ଓ ଡୁମେର୍ତା ମଦଭାଟି ୧୪ ମାସ ହେଲା ବନ୍ଦ ରହିଛି। ଏହାସତ୍ତ୍ୱେ ଏହି ଅଞ୍ଚଳରେ ପ୍ରବଳ ଦେଶୀ ପାଉଚ ମଦ ବିକ୍ରି ହେବା ଅବକାରୀ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭାଗୀୟ ସୂଚନା ଅନୁସାରେ, ରାଉରକେଲା ଦେଶୀ ମଦଭାଟିର ମଦ କେବଳ ରାଉରକେଲାରେ ବିକ୍ରି ହେବା କଥା। କିନ୍ତୁ ଉକ୍ତ ମଦଭାଟି ବନ୍ଦ ରହିଥିବା ବେଳେ ସହରର ପ୍ରତି ଗଳିକନ୍ଦିରେ ଦେଶୀ ମଦ ବିକ୍ରି ହେଉଛି। ରାଉରକେଲା ସହରରେ ବେଆଇନ ଦେଶୀ ମଦ କାରବାର ବୃଦ୍ଧିକୁ ନେଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ରାଜନୈତିକ ଦଳ ଇତିମଧ୍ୟରେ ଏସ୍‌ପିଙ୍କ ନିକଟରେ ଫେରାଦ ହୋଇଛନ୍ତି। ତଥାପି ସହରରେ ବେଆଇନ ଦେଶୀମଦ କାରବାର ଚାଲିଛି। ଏ ନେଇ ରାଉରକେଲା ଅବକାରୀ ବିଭାଗ ଏସ୍‌ଆଇ ଶ୍ରୀଧର ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ, ଅବକାରୀ ବିଭାଗ ନିୟମିତ ଏଭଳି ବେଆଇନ ଦେଶୀମଦ କାରବାର କରୁଥିବା ବ୍ୟକ୍ତିଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି। ସହରରେ ବେଆଇନ ଦେଶୀ ମଦ କାରବାର ଉପରେ ନଜର ରହିଛି। ଆଗକୁ ବେଆଇନ ମଦ କାରବାର ହେଉଥିବା ସ୍ଥାନରେ ବିଭାଗ ପକ୍ଷରୁ ଜୋରଦାର ଚଢାଉ କରାଯିବ ବୋଲି ମହାନ୍ତି କହିଥିଲେ।