କରୋନା ମହାମାରୀରେ ବହୁ ଆହ୍ବାନର ମୁକାବିଲା କରିଛି ଦେଶ, ମିଳିଛି ବିଦେଶରୁ ସହଯୋଗ…

ନୂଆଦିଲ୍ଲୀ,୨୮।୧୦: କରୋନା ମହାମାରୀ ବିରୋଧରେ ଭାରତ ଏକଜୁଟ ହୋଇ ଲଢ଼ିଛି। ଏକ୍ଷେତ୍ରରେ ପୃଥିବୀର ବହୁ ବିଦେଶୀ ରାଷ୍ଟ୍ର ସହଯୋଗର ହାତ ବଢ଼ାଇଛନ୍ତି। ସଙ୍କଟ ସମୟରେ ବେଶକୁ ବନ୍ଧୁ ରାଷ୍ଟ୍ରଙ୍କ ସହାୟତା ଜାରି ରହିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି। ବ୍ରୁନେଇର ସୁଲତାନ ହସନଲ ବୋଲକିୟାଙ୍କ ଅନୁରୋଧ କ୍ରମେ ୧୮ତମ ଦକ୍ଷିଣ-ପୂର୍ବ ଏସିଆ ରାଷ୍ଟ୍ର ସମୂହର ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏଭଳି କହିଛନ୍ତି। ସଙ୍କଟ ସମୟରେ ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ରଙ୍କ ସହଯୋଗ ଭାରତକୁ ମିଳିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଇତିହାସ ସାକ୍ଷୀ ଯେ, ହଜାର ହଜାର ବର୍ଷ ଧରି ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ରଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହି ଆସିଛି। ଏହାର ପ୍ରତିଫଳନ ଭାରତୀୟ ପରମ୍ପରା, ଭାଷା, ପାଠ୍ୟ, ସ୍ଥାପତ୍ୟ, ସଂସ୍କୃତି, ଖାଦ୍ୟ ଏବଂ ପାନୀୟ ମଧ୍ୟରେ ପ୍ରତିଫଳିତ ହେଉଛି। ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ରଙ୍କ ଏକତା ଏବଂ କେନ୍ଦ୍ରୀୟତା ଭାରତ ପାଇଁ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା ରହିଆସିଛି।

ସେ କହିଛନ୍ତି ଯେ, ୨୦୨୨ ରେ ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ରଙ୍କ ସହ ଭାରତର ସହଭାଗୀତାର ୩୦ ବର୍ଷ ପୂର୍ଣ୍ଣ ହେବ। ଭାରତ ମଧ୍ୟ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବ। ମୁଁ ବହୁତ ଖୁସି ଯେ ଆମେ ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ରଙ୍କ ସହିତ ଭାରତର ବନ୍ଧୁତ୍ୱ ବର୍ଷ ଭାବରେ ପାଳନ କରିବୁ। ଏହି ସମ୍ମିଳନୀ ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ର ଏବଂ ଭାରତ ଲାଗି ସର୍ବୋଚ୍ଚସ୍ତରରେ ଯୋଗାଯୋଗ ଉପଲବ୍ଧ କରାଇବାର ସୁଯୋଗ ପ୍ରଦାନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share