ଏକାଧିକ ଲଢ଼େଇ ଲଢୁଛି ଦେଶ: ମୋଦି

ନୂଆଦିଲ୍ଲୀ, ୩୦।୮: କରୋନା ମହାମାରୀ ସଙ୍କଟ ସମୟରେ ଦେଶ ଏକାଧିକ ଲଢ଼େଇ ଲଢୁଛି। ସୀମାରେ ଲଢ଼େଇ ସହିତ ଦେଶ ଭିତରେ ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରାଯିବା ଲାଗି ଉଦ୍ୟମ ଅବ୍ୟାହତ ରହିଛି। ଏପରିସ୍ଥଳେ ଆତ୍ମନିର୍ଭର ଭାରତ ଗଠନ ଅପରିହାର୍ଯ୍ୟ ହୋଇପଡ଼ିଛି। ଆତ୍ମନିର୍ଭର ଭାରତ ଗଠନରେ ବଡ଼ ଶିଳ୍ପ ସଂସ୍ଥାଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୬୮ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ଏପରି କହିଛନ୍ତି। ଲକ୍‌ ଡାଉନ୍‌ରେ ଛୋଟ ପିଲା ଘରେ ବନ୍ଦ ରହିଛନ୍ତି। ଫଳରେ ଏବେ ଖେଳ ବଦଳରେ ଖେଳନା ସେମାନଙ୍କର ମୁଖ୍ୟ ଆକର୍ଷଣ ପାଲଟଛି। ଦେଶର ଖେଳନା ଶିଳ୍ପକୁ ସୁଦୃଢ଼ କରାଗଲେ ପିଲାଙ୍କ ଆବଶ୍ୟକତା ସହଜରେ ପୂରଣ ହୋଇପାରିବ ବୋଲି ମୋଦି କହିଛନ୍ତି। କରୋନା ସଙ୍କଟରେ ଲୋକେ ପ୍ରତିଟି ଉତ୍ସବ ଘରେ ପାଳନ କରିବାକୁ ବାଧ୍ୟ ହେଉଛନ୍ତି। ଏହା ଲୋକଙ୍କ ଦେଶପ୍ରତି ଥିବା ଏକନିଷ୍ଠ ଭାବ ଏବଂ ସମ୍ମାନବୋଧକୁ ସୂଚିତ କରୁଛି। ବାହାରକୁ ନଯାଇ ଘରେ ଉତ୍ସବ ପାଳନ କରିବା ସେମାନଙ୍କର ସଞ୍ଜମତା ଆଚରଣକୁ ଦର୍ଶାଉଥିବା ସେ କହିଛନ୍ତି। ଦେଶର ସ୍ବାଧିନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ଦେଶବାସୀ ଅସହଯୋଗ ଆନ୍ଦୋଳନରେ ସାମିଲ୍‌ ହୋଇଥିଲେ। ଏବେ ସେଭଳି ଆନ୍ଦୋଳନ ଆତ୍ମନିର୍ଭର ଭାରତ ଗଠନରେ ଜାରି ରହିଛି ବୋଲି ମୋଦି କହିଛନ୍ତି।

Share