ବିଶ୍ୱରେ ସବୁଠୁ ଅଧିକ ଖାଦ୍ୟ ନଷ୍ଟ କରେ ଏହି ଦେଶ, ଭାରତର ସ୍ଥାନ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୮।୧୧: ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଦୁଇ ଓଳି ଖାଇବାକୁ ପାଉନାହାନ୍ତି । ଭୋକିଲା ପେଟରେ ଶୋଇବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ପ୍ରତିବର୍ଷ ବିପୁଳ ପରିମାଣର ଖାଦ୍ୟ ନଷ୍ଟ ହେଉଛି । ଘରଠାରୁ ଆରମ୍ଭ କରି ହୋଟେଲ, ରେଷ୍ଟୁରାଣ୍ଟ ଓ ଦୋକାନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖାଦ୍ୟ ଫିଙ୍ଗାଯାଉଛି ।

ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚାଇନା ପ୍ରତିବର୍ଷ ୧୦୮ ନିୟୁତ ଟନ୍‌ରୁ ଅଧିକ ଖାଦ୍ୟ ନଷ୍ଟ କରୁଛି । ଏହା ବିଶ୍ୱରେ ସବୁଠୁ ଅଧିକ ଖାଦ୍ୟ ନଷ୍ଟ କରୁଥିବା ଦେଶ ତାଲିକାରେ ଶୀର୍ଷରେ ରହିଛି । ଅନ୍ୟପଟେ ଭାରତରେ ବାର୍ଷିକ ପ୍ରାୟ ୭୮ ନିୟୁତ ଟନ୍‌ ଏବଂ ଆମେରିକାରେ ପ୍ରାୟ ୨୪ ନିୟୁତ ଟନ୍‌ ଖାଦ୍ୟ ନଷ୍ଟ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (UNEP) ଅନୁଯାୟୀ, ୨୦୨୨ ମସିହାରେ ସାରା ବିଶ୍ୱରେ ପ୍ରାୟ ୧.୦୫ ବିଲିୟନ ଟନ୍‌ ଖାଦ୍ୟ ନଷ୍ଟ ହୋଇଥିଲା। ଏଥିମଧ୍ୟରୁ ପ୍ରାୟ ୬୩୧ ନିୟୁତ ଟନ୍‌ ଅର୍ଥାତ୍‌ ୬୦ ପ୍ରତିଶତ ଖାଦ୍ୟ ଘରୁ ନଷ୍ଟ ହୋଇଥିଲା। ଅବଶିଷ୍ଟ ଖାଦ୍ୟ ହୋଟେଲ, ରେଷ୍ଟୁରାଣ୍ଟ ଓ ଖୁଚୁରା ବ୍ୟବସାୟ କ୍ଷେତ୍ରରୁ ନଷ୍ଟ ହୋଇଥିଲା।

ରିପୋର୍ଟ ଅନୁସାରେ, ବିଶ୍ୱରେ ଜଣେ ବ୍ୟକ୍ତି ହାରାହାରି ବର୍ଷକୁ ପ୍ରାୟ ୭୯ କିଲୋଗ୍ରାମ ଖାଦ୍ୟ ନଷ୍ଟ କରୁଛନ୍ତି । ଏଥିରେ ଘରୋଇ ଖାଦ୍ୟ ନଷ୍ଟ ସହ ଅନ୍ୟ କ୍ଷେତ୍ରର ଅବଦାନ ମଧ୍ୟ ରହିଛି । ଛୋଟ ଛୋଟ ପରିମାଣରେ ଖାଦ୍ୟ ଫିଙ୍ଗିବା ଅଭ୍ୟାସ ମିଶି ବିଶ୍ୱସ୍ତରରେ ଏକ ବଡ଼ ସମସ୍ୟା ସୃଷ୍ଟି କରୁଛି। ଖାଦ୍ୟ ନଷ୍ଟ କମାଇବା କ୍ଷେତ୍ରରେ ଜାପାନ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୨୦୦୦ ମସିହା ତୁଳନାରେ ୨୦୨୨ ସୁଦ୍ଧା ଜାପାନ ଖାଦ୍ୟ ନଷ୍ଟ ଓ ଅପଚୟକୁ ପ୍ରାୟ ୫୩ ପ୍ରତିଶତ ହ୍ରାସ କରିଛି । ସେହିପରି ବ୍ରିଟେନ୍‌ ୨୦୦୭ ମସିହା ତୁଳନାରେ ଖାଦ୍ୟ ନଷ୍ଟ ପରିମାଣକୁ ପ୍ରାୟ ୨୨ ପ୍ରତିଶତ କମାଇଛି।

ଘରେ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ରାନ୍ଧିବା, ବଜାରରୁ ଅଧିକ ସାମଗ୍ରୀ କିଣିବା ଏବଂ ଫ୍ରିଜ୍‌ରେ ରଖାଯାଇଥିବା ଖାଦ୍ୟକୁ ଠିକ୍‌ ସମୟରେ ବ୍ୟବହାର ନକରିବା ଖାଦ୍ୟ ଅପଚୟର ପ୍ରମୁଖ କାରଣ। ସେହିପରି ହୋଟେଲ ଓ ରେଷ୍ଟୁରାଣ୍ଟରେ ବଳକା ଖାଦ୍ୟ ମଧ୍ୟ ଫିଙ୍ଗି ଦିଆଯାଏ। ଖାଦ୍ୟ ଅପଚୟ ରୋକିବା ପାଇଁ ଆବଶ୍ୟକତା ଅନୁସାରେ ଖାଦ୍ୟ ପ୍ରସ୍ତୁତ କରିବା, ଅଧିକ କିଣାକିଣିରୁ ଦୂରେଇ ରହିବା ଏବଂ ବଳକା ଖାଦ୍ୟର ସଠିକ୍‌ ବ୍ୟବହାର କରିବା ଜରୁରୀ ।

 

Dharitri – Odisha’s No.1 Odia Daily

Share