Categories: ଜାତୀୟ

ଆତଙ୍କବାଦ ସମର୍ଥନକାରୀ ରାଷ୍ଟ୍ର ମୂଲ୍ୟ ଦିଅନ୍ତୁ

ନୂଆଦିଲ୍ଲୀ,୧୯।୧୧: କେତେକ ରାଷ୍ଟ୍ର ଆତଙ୍କବାଦକୁ ସିଧାସଳଖ ସମର୍ଥନ କରୁଥିବାବେଳେ ଅନ୍ୟ କେତେକ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଅଟକାଇ ପରୋକ୍ଷରେ ସେମାନଙ୍କୁ ସମର୍ଥନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ସହ ପାକିସ୍ତାନ ଓ ଚାଇନାକୁ ପରୋକ୍ଷରେ ସମାଲୋଚନା କରିଛନ୍ତି। ଆତଙ୍କବାଦକୁ ପାଣ୍ଠିଯୋଗାଣ ବିରୋଧରେ ଆୟୋଜିତ ତୃତୀୟ ‘ନୋ ମନି ଫର୍‌ ଟେରର ମିନିଷ୍ଟରିଆଲ୍‌ କନ୍‌ଫରେନ୍ସରେ ଉଦ୍‌ବୋଧନ ଦେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଆତଙ୍କବାଦକୁ ସମର୍ଥନ କରୁଥିବା ରାଷ୍ଟ୍ର ଉପରେ ମୂଲ୍ୟ ଧାର୍ଯ୍ୟ କରାଯିବା ଉପରେ ସେ ଜୋର୍‌ ଦେଇଛନ୍ତି। ଆତଙ୍କବାଦ ମୁକାବିଲା ଦିଗରେ କୌଣସି ଦ୍ୱିଧା ରହିବା ଉଚିତ ନୁହେଁ। ଆତଙ୍କବାଦକୁ ନିଜର ବିଦେଶ ନୀତି ଭାବେ ଗ୍ରହଣ କରୁଥିବା ଦେଶଗୁଡ଼ିକୁ ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ଭାରତ ଅନେକ ଆତଙ୍କବାଦୀ ଆକ୍ରମଣ ଶିକାର ହୋଇଛି ଓ ବହୁ ଧନଜୀବନ ନଷ୍ଟ ହୋଇଛି। ଏପରିକି ଗୋଟିଏ ଜୀବନ ଗଲେ ତାହା ବହୁତ। ତେଣୁ ଆତଙ୍କବାଦ ମୂଳପୋଛ ନ ହେବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ। ଉଗ୍ରବାଦକୁ ସମର୍ଥନ ଦେଉଥିବା ଯେକୌଣସି ବ୍ୟକ୍ତିଙ୍କର ଦେଶରେ କୌଣସି ସ୍ଥାନ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ସମ୍ମିଳନୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଥିଲେ, ଆତଙ୍କବାଦ ବିଶ୍ୱର ଶାନ୍ତି ଓ ସୁରକ୍ଷା ପ୍ରତି ବଡ଼ ବିପଦ ଏହା ନିଃସନ୍ଦେହ। ତେବେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଆତଙ୍କବାଦଠାରୁ ଅଧିକ ବିପଦ ବୋଲି ସେ କହିଛନ୍ତି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବା ଲାଗି ସମସ୍ତେ ଏକ ମନ ଓ ଏକ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ୭୫ରୁ ଊର୍ଦ୍ଧ୍ୱ ଦେଶରୁ ୪୫୦ ପ୍ରତିନିଧି ଯୋଗ ଦେଇଥିବାବେଳେ ପାକିସ୍ତାନ, ଆଫଗାନିସ୍ତାନ ଓ ଚାଇନା ପ୍ରତିନିଧି ଆସି ନ ଥିଲେ। ଲଶ୍କର-ଇ-ତୋଇବା, ଜୈଶ-ଇ-ମହମ୍ମଦ ସମେତ ଅନେକ ପାକିସ୍ତାନୀ ଆତଙ୍କବାଦୀ ସଂଗଠନର ନେତାଙ୍କୁ ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ କମିଟି ତାଲିକାରେ ସାମିଲ କରିବା ଲାଗି ଭାରତ ଦୁଇଦଶନ୍ଧି ହେଲା ବାରମ୍ବାର ଦାବି କରିଆସୁଥିବାବେଳେ ଚାଇନା ଭିଟୋ କ୍ଷମତା ବଳରେ ଏହି ପ୍ରସ୍ତାବକୁ ଅଟକାଉଛି। କେତେକ ଦେଶ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ସହ ସୁରକ୍ଷା ପ୍ରଦାନ କରୁଛନ୍ତି, ଯାହା ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ସହ ସମାନ। ଏହି ତତ୍ତ୍ୱମାନେ ସେମାନଙ୍କ ଉଦ୍ୟମରେ ଯେପରି କଦାପି ସଫଳ ନ ହେବେ, ତାହା ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ ବୋଲି ଶାହା କହିଛନ୍ତି।

Share