Categories: ଜାତୀୟ

ଏକାଠି ନ ରହି ପାରିଲେ, ଅଲଗା ହେବା ଶ୍ରେୟସ୍କର…

ନୂଆଦିଲ୍ଲୀ,୪।୧୦: ଦାମ୍ପତ୍ୟ ଜୀବନ ଉପରେ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ସ୍ତ୍ରୀ-ସ୍ବାମୀ ଏକାଠି ରହିବାରେ ସମସ୍ୟା ଉପୁଜୁଛି ତେବେ ପରସ୍ପର ଛାଡିବା ଶ୍ରେୟସ୍କର। ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡ଼ ଦୀର୍ଘ ବର୍ଷ ଜାରି ରହିଲେ ଏଭଳି ନିଷ୍ପତ୍ତି ଭୁଲ୍‌ ନୁହେଁ ବୋଲି କୋର୍ଟ କହିଛନ୍ତି। ୧୯୯୫ ଠାରୁ ବର୍ତ୍ତମାନ ମାତ୍ର ୫ ଦିନ ଏକାଠି ରହିଥିବା ଦମ୍ପତିଙ୍କର ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଏଭଳି କହିଛନ୍ତି। ଏହି ମାମଲାରେ ହାଇକୋର୍ଟ ଛାଡପତ୍ର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବିରୋଧରେ ସ୍ତ୍ରୀ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ଏହି ମାମଲାର ଶୁଣାଣି କରି ବିଚାରପତି ଏମ.ଆର. ଶାହା ଏବଂ ଏ.ଏସ୍‌. ବୋପନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଦମ୍ପତିଙ୍କ ବ୍ୟବହାରିକ ମନୋଭାବ ରହିବା ଆବଶ୍ୟକ। ଜୀବନ ବ୍ୟାପୀ ପରସ୍ପର ମଧ୍ୟରେ ଝଗଡ଼ାରେ ବିତାଇବା ସମ୍ଭବ ନୁହେଁ। ଏବେ ଉଭୟଙ୍କର ବୟସ ଯାଥାକ୍ରମେ ୫୦ ଏବଂ ୫୫ବର୍ଷ ।

ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ରକ୍ଷଣାବେକ୍ଷଣ ସମ୍ପର୍କରେ ଦମ୍ପତି ନିଜ ମଧ୍ୟରେ ନିଷ୍ପତ୍ତି ନେବା ଉଚିତ। ଡିସେମ୍ବରରେ ସ୍ତ୍ରୀଙ୍କ ଆବେଦନ ଉପରେ ବିଚାର କରିବାକୁ ଶୀର୍ଷ କୋର୍ଟ ନିଷ୍ପତ୍ତି ନେଇଛନ୍ତି। ମହିଳାଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ ସୁପ୍ରିମକୋର୍ଟରେ କହିଛନ୍ତି ଯେ ହାଇକୋର୍ଟଙ୍କ ତରଫରୁ ଛାଡପତ୍ର ଦେବା ଭୁଲ । ଆପୋଷ ବୁଝାମଣାକୁ ସମ୍ମାନ ଦିଆଯାଇ ନଥିବା ପ୍ରସଙ୍ଗକୁ ହାଇକୋର୍ଟ ଅଣଦେଖା କରିଥିବା ଆଇନଜୀବୀ କହିଛନ୍ତି। ସ୍ବାମୀଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ କହିଛନ୍ତି ଯେ ୧୯୯୫ରେ ବିବାହ ପରଠାରୁ ତାଙ୍କ ଜୀବନ ନଷ୍ଟ ହୋଇଯାଇଛି। ସେ କହିଛନ୍ତି ଯେ ଉଭୟଙ୍କ ଦାମ୍ପତ୍ୟ ଜୀବନ ମାତ୍ର ୫ କିମ୍ବା ୬ ଦିନର ଥିଲା।

ସ୍ବାମୀଙ୍କ ଆଇନଜୀବୀ କହିଛନ୍ତି ଯେ ବିବାହ ପରେ ଅସହ୍ୟ ଦାମ୍ପତ୍ୟ ଜୀବନ କାରଣରୁ ଛାଡପତ୍ରକୁ ଅନୁମତି ଦେବା ସମ୍ପୂର୍ଣ୍ଣ ଠିକ। ସ୍ବାମୀ ଆଉ ସ୍ତ୍ରୀଙ୍କ ସହ ରହିବାକୁ ରାଜି ନୁହନ୍ତି ଏବଂ ସେ ସ୍ତ୍ରୀ ରକ୍ଷଣାବେକ୍ଷଣ ଦେବାକୁ ପ୍ରସ୍ତୁତ ଅଛନ୍ତି। ସ୍ବାମୀଙ୍କ ଆଇନଜୀବୀ କୋର୍ଟରେ କହିଛନ୍ତି ଯେ ୧୯୯୫ ଜୁଲାଇ ୧୩ ରେ ବିବାହ ପରେ ସ୍ତ୍ରୀ ତାଙ୍କୁ ଅଗରତାଲାରେ ସେମାନଙ୍କ ଘରେ ଘର ଜ୍ୱାଇଁ ଭାବରେ ରହିବାକୁ ଚାପ ପକାଇଥିଲେ। ମାତ୍ର ସ୍ବାମୀ ଏକ ସମୃଦ୍ଧ ପରିବାରର। ତାଙ୍କ ପିତା ଜଣେ ଆଇଏଏସ ଅଧିକାରୀ ଥିଲେ। ସ୍ବାମୀ ରାଜି ହୋଇ ନ ଥିଲେ, ତେଣୁ ସ୍ତ୍ରୀ ଘର ଛାଡ଼ି ନିଜ ଘରକୁ ପଳାଇ ଯାଇଥିଲେ। ସେବେଠାରୁ ଉଭୟ ଅଲଗା ରହିଛନ୍ତି।

Share