ଆଉ ରକ୍ଷା ନାହିଁ, କାଶିଲେ-ଛିଙ୍କିଲେ ୧୦ ମିଟର ପର୍ଯ୍ୟନ୍ତ ବ୍ୟାପିବ କରୋନା ଭୂତାଣୁ…

ନୂଆଦିଲ୍ଲୀ,୨୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣ ନେଇ ନୂଆ ସତର୍କ ସୂଚନା ଜାରି କରାଯାଇଛି। କାଶିଲେ ଅବା ଛିଙ୍କିଲେ କରୋନା ଭୂତାଣୁ ଆକ୍ରାନ୍ତ ବ୍ୟକ୍ତିଙ୍କଠାରୁ ୧୦ ମିଟର ପର୍ଯ୍ୟନ୍ତ ବ୍ୟାପିବାର ଆଶଙ୍କା ରହିଥିବା ଏହି ସତର୍କ ସୂଚନାରେ ଉଲ୍ଲେଖ କରାଯାଇଛି। ତେଣୁୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଛି। କାର୍ଯ୍ୟାଳୟ ଏବଂ ଘରେ ବାୟୁ ଚଳାଚଳ ସୁବିଧା ଦ୍ୱାରା ଏଥିରୁ ସୁରକ୍ଷା ମିଳି ପାରିବ ବୋଲି ଭାରତ ସରକାରଙ୍କ ବିଜ୍ଞାନ ପରାମର୍ଶଦାତା କେ. ବିଜୟ ରାଘବନ ସୂଚନା ଦେଇଛନ୍ତି। କବାଟ ହ୍ୟାଣ୍ଡେଲ, ସ୍ବିଚ୍‌, ଟେବୁଲ, ଚେୟାର ଆଦି ଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ରହିଥିବା ସେ କହିଛନ୍ତି। ତେଣୁ ଏସବୁକୁ ସବୁଦିନ ସାନିଟାଇଜ୍‌ କରିବା ଆବଶ୍ୟକ। ସେହିପରି ଡବଲ ମାସ୍କ୍‌ ପିନ୍ଧିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।

Share