ପାଟଣାଗଡ଼ ୨୯ା୧୨ (ସଚ୍ଚିଦାନନ୍ଦ ମହାକୁର)- ବେଆଇନ ଭାବେ କଫ ସିରପ୍ ଚାଲାଣ ଘଟଣାରେ ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପାଟଣାଗଡ଼ ଥାନା ଅଧୀନ କୋଳପଡ଼ାର ସୁବାସ ମେହେର(୫୨), ବ୍ରହ୍ମପୁରାର ଭଗବାନ ବାରିକ(୨୨), ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚୁଡାପାଲି ଗ୍ରାମର ରାଜେଶ ବେହେରା(୫୨)। ସେମାନଙ୍କଠାରୁ ୫୦ ବୋତଲ କଫ ସିରପ୍ ଓ ଏକ ବାଇକ ଜବତ କରାଯାଇଛି।
ଅଭିଯୁକ୍ତମାନେ ରବିବାର ଏକ ବାଇକ୍ ଯୋଗେ କଫ ସିରପ୍ ଚାଲାଣ କରୁଥିବା ନେଇ ପୋଲିସ ଖବର ପାଇଥିଲା। ବଲାଙ୍ଗୀର ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୂଝାରୀଙ୍କ ନେତୃତ୍ୱରେ ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟାଙ୍କ ସମେତ ପୋଲିସର ଏକ ଟିମ୍ ସ୍ଥାନୀୟ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଚଢାଉ କରିଥିଲା। ଅଭିଯୁକ୍ତମାନେ ବାଇକ୍ରେ ଆସି ପହଞ୍ଚିବା ପରେ ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚବେଳେ ସେମାନଙ୍କଠାରୁ ୫୦ ବୋତଲ କଫ ସିରପ୍, ବାଇକ୍ ଜବତ କରାଯିବା ସହ ସେମାନଙ୍କୁ ଗିରଫ କରାଯାଇଥିବା ଉପଖଣ୍ଡ ପୋଲିସ ଅଧିକାରୀ ପୂଝାରୀ ସୂଚନା ଦେଇଛନ୍ତି। ଏନେଇ ଥାନାରେ ଏକ ମାମଲା(ନଂ.୪୧୪/୨୫) ରୁଜୁ ହୋଇଛି। ସୂଚନା ଯୋଗ୍ୟ, ଆଗକୁ ନୁଆବର୍ଷ ଥିବା ବେଳେ ଅଞ୍ଚଳରେ କଫ ସିରପ୍ ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି।


