ଧାନକଟା ମେଶିନରେ ଚାଲିଥିଲା କଫ୍ ସିରପ୍ ଚାଲାଣ, ଅତାବିରାରୁ ୨ ଗିରଫ

ଅତାବିରା,୩।୬(ଯୁଧିଷ୍ଠିର ମହାପାତ୍ର)-ବରଗଡ଼ ଜିଲା ଅଞ୍ଚଳରେ ଦିନକୁ ଦିନ କଫ୍ ସିରପ୍‌ କାରବାର ବଢ଼ିବାରେ ଲାଗିଛି । ମଙ୍ଗଳବାର ଅତାବିରା ଥାନା ପୋଲିସ ଏହି କାରବାରରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ, ଅତାବିରା ଥାନା ଅନ୍ତର୍ଗତ ଗୁର୍ଖାପାଲି ଦେହେରୀପଡ଼ାର ଜିତେନ୍ଦ୍ର ମେଣ୍ଡେଲୀ (୨୪) ଏବଂ ଭେଡେନ ଥାନା କୁତପାଲି ଗ୍ରାମର ନିରଞ୍ଜନ ତ୍ରିପାଠୀ (୩୪) । ସେମାନଙ୍କ ପାଖରୁ ଅଫ୍ ସିରପ୍ ଚାଲାଣରେ ବ୍ୟବହୃତ ଧାନକଟା ମେଶିନ(ହାର୍ଭେଷ୍ଟର) ଏବଂ ୧୪୪୦ ବୋତଲ କଫ ସିରପ୍ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବରଗଡ଼ ଜିଲା କାରାକାରକୁ ପଠାଇ ଦିଆଯାଇଛି । ଏ ନେଇ ଅତାବିରା ଥାନାରେ ଏକ ମାମଲା (ନଂ – ୨୧୧/୨୬) ରୁଜୁ ହୋଇଛି। ବୁଧବାର ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସପି ରବିନ୍ଦ୍ରନାଥ ଶତପଥୀ ସୂଚନା ଦେଇ କହିଥିଲେ, ଅଭିଯୁକ୍ତମାନେ ଦିନକୁ ଦିନ ଭିନ୍ନଭିନ୍ନ ଉପାୟରେ କଫ୍ ସିରପ କାରବାର ଚଲାଇବା ପାଇଁ ଅପଚେଷ୍ଟା କରୁଛନ୍ତି ।

ମଙ୍ଗଳବାର ଧାନକଟା ମେଶିନରେ ଅଭିଯୁକ୍ତମାନେ କଫ୍ ସିରପ୍ ଚାଲାଣ କରୁଥିବାବେଳେ ଅତାବିରା ଥାନା ପୋଲିସ ପତ୍ରାପାଲି ଶିବ ମନ୍ଦିର ପାଖରୁ ଅଭିଯୁକ୍ତ ମାନଙ୍କୁ ଗିରଫ ସହିତ ଅଫ୍ ସିରପ୍ ଜବତ କରିଛି। ତେବେ ଏହି କାରବାରରେ ସମ୍ପୃକ୍ତ କିଙ୍ଗପିନ୍ ପର୍ଯ୍ୟନ୍ତ ପୋଲିସ ପହଞ୍ଚିବ। କଫ୍ ସିରପ୍ କେଉଁଠୁ ଆସୁଥିଲା ଏବଂ କେଉଁଠାକୁ ଯାଉଥିଲା, ତାର ତଦନ୍ତ ଚାଲିଛି। ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଏହା ସହିତ କଫ୍ ସିରପ୍, ଗଞ୍ଜେଇ, ବ୍ରାଉନ ସୁଗର ଭଳି ନିଶା କାରବାର କରି ଅଭିଯୁକ୍ତମାନେ ଯାହା ବି ରୋଜଗାର କରିଛନ୍ତି, ଭାରତୀୟ ନ୍ୟାୟ ସଂହିତାର ଦଫା ୧୦୭ ଅନୁଯାୟୀ, ସେମାନଙ୍କ ସମସ୍ତ ସମ୍ପତ୍ତି ବ୍ୟାଜାପ୍ତ ହେବ ଏବଂ କୋର୍ଟରେ ଦାଖଲ କରାଯିବ ବୋଲି ଏସପି ଶତପଥି କହିଥିଲେ । ଖବରଦାତା ସମ୍ମିଳନୀରେ ଅତାବିରା ଥାନା ଆଇଆଇସି ପ୍ରକାଶ କର୍ଣ୍ଣ ମଧ୍ୟ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share