ଖାତା ବୋଝେଇ ଗାଡ଼ିରେ ନିଶା ସାମଗ୍ରୀ, ୩ ଗିରଫ

ପଦ୍ମପୁର,୧୪।୩(ଡି.ଏନ.ଏ.): ଏକ ଖାତା ବୋଝେଇ ବୋଲେରୋ (ନଂ. ଓଡି୧୭ଭି/୮୬୮୭) ଯୋଗେ କଟକରୁ ବରଗଡ଼କୁ ବ୍ୟାପକ କଫ୍‌ ସିରପ୍‌ ଓ ନିଶା ଇଞ୍ଜେକସନ ଚୋରା ଚାଲାଣ ବେଳେ ପଦ୍ମପୁର ପୋଲିସ ଚଢାଉ କରିଛି। ଚଢାଉ ବେଳେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପଦ୍ମପୁର ଶକ୍ତି ନଗରର ବିକି ଓରଫ୍‌ ଗୁଣନିଧି ସାହୁ, ନେହେରୁଗଳିର ରାକେଶ ନାଏକ ଓ ଅତାବିରା ଥାନା ବାବେବିରା ଗ୍ରାମର ସିତୁ ଓରଫ୍‌ ଭୁଗପତି ଭୁଏ। ସେମାନଙ୍କଠାରୁ ବୋଲେରୋ ସମେତ ୧୨୮ ପ୍ୟାକେଟ ଖାତା, ୨୫୬୦ ବୋତଲ କଫ୍‌ ସିରପ୍‌, ୬ ନିଶା ଇଞ୍ଜେକସନ, ନଗଦ ୩୦ହଜାର ୧୭୦ଟଙ୍କା, ୩ଟି ମୋବାଇଲ, ଏଟିଏମ କାର୍ଡ ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି। ପୋଲିସ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ସହକାରୀ ଉପ ଜିଲାପାଳ ମନୋରଞ୍ଜନ ନାଏକଙ୍କ ଉପସ୍ଥିତିରେ ଜବତ ସାମଗ୍ରୀର ସରଜମିନ ତଦନ୍ତ କରିବା ସହ ଏକ ମାମଲା (ନଂ.୭୩।୨୩) ରୁଜୁ କରିଛି। ଏହି ବେଆଇନ ନିଶା ବ୍ୟବସାୟରେ ପଦ୍ମପୁରର ଦୁଇ ଜଣ ମୁଖ୍ୟ ଥିବା ତଦନ୍ତରୁ ଜଣାପଡିଛି ବୋଲି ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ବିଭୂତି ଭୂଷଣ ଭୋଇ ସୂଚନା ଦେଇଛନ୍ତି।