କଫ୍‌ ସିରପରେ ନିଶା ବଟିକା ମିଶାଇ ବିକୁଥିଲେ: ୨ ଅଭିଯୁକ୍ତ କୋର୍ଟଚାଲାଣ

କଟକ ଅଫିସ,୨।୧୧: କଫ୍‌ ସିରପରେ ବେଆଇନ ଭାବେ ନାଇଟ୍‌-୧୦ ବଟିକା ମିଶାଇ ବିକ୍ରି କରିବା ଅଭିଯୋଗରେ ମର୍କତନଗର ପୋଲିସ ରବିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ କଟକ ଜିଲା ଚୌଦ୍ୱାର ଥାନା ଅଧୀନ ଓଟିଏମ୍‌ ଦୁର୍ଗା ବଜାର ଅଞ୍ଚଳର କୁଳମଣି ମିଶ୍ର(୪୦) ତଳ ବଜାରର ଦିଲୀପ କୁମାର ସାହୁ (୪୨)। ସେମାନଙ୍କଠାରୁ ୩୨୧୮ ବୋତଲ କଫ୍‌ ସିରପ, ୫ ଷ୍ଟ୍ରିପ ନାଇଟ୍‌-୧୦ ବଟିକା ଓ ଗୋଟିଏ ବାଇକ ଜବତ କରାଯାଇଛି। ଜବତ କଫ୍‌ ସିରପର ମୂଲ୍ୟ ପ୍ରାୟ ସାଢେ ୪ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ଏ ନେଇ ଥାନାରେ ଏକ ମାମଲା (ନଂ.୧୯୯/୨୦) ରୁଜୁ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ଭୋର ସମୟରେ କୁଳମଣି ବହୁ ପରିମାଣର କଫ୍‌ ସିରପ ନେଇ ଏକ ବାଇକ୍‌ରେ ନରାଜ ଆଡୁ ମର୍କତନଗର ଆସୁଥିଲେ। ଖବରପାଇ ମର୍କତ ନଗର ଥାନା ଅଧିକାରୀ ପ୍ରଦୀପ୍ତ କିଶୋର ନାୟକ ଜୁଡିସିଆଲ ଏକାଡେମୀ ଛକରେ କୁଳମଣିଙ୍କୁ ଅଟକାଇ ଯାଞ୍ଚ କରିବାରୁ ତାଙ୍କ ନିକଟରୁ ବିଭିନ୍ନ କମ୍ପାନୀର କଫ୍‌ ସିରପ ମିଳିଥିଲା। ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କଠାରୁ ଉକ୍ତ କଫ୍‌ ସିରପ ଜବତ କରାଯାଇଥିଲା। ପରେ କୁଳମଣିଙ୍କ ସୂଚନା ଆଧାରରେ ପୋଲିସ ଚୌଦ୍ୱାର ତଳ ବଜାରର ଦିଲୀପଙ୍କ ଘରେ ଚଢଉ କରିଥିଲା। ଦିଲୀପଙ୍କ ଘର ପଛପଟେ ଥିବା ଏକ ପାଇଖାନା ଭିତରୁ ବହୁ ପରିମାଣର କଫ୍‌ ସିରପ ଜବତ କରାଯାଇଥିଲା।
ଦିଲୀପଙ୍କର ସ୍ଥାନୀୟ ଅଞ୍ଚଳରେ ଏକ ଔଷଧ ଦୋକାନ ରହିଛି। ଏହା ମାଧ୍ୟମରେ ସେ କଫ୍‌ ସିରପ ମଗାଉଥିଲେ। ପରେ ଉଭୟ ମିଶି କଫ୍‌ ସିରପରେ ବେଆଇନ ଭାବେ ନାଇଟ୍‌-୧୦ ବଟିକା ମିଶାଉଥିଲେ। କାରଣ ଏହି କଫ୍‌ ସିରପରେ ନାଇଟ୍‌-୧୦ ବଟିକା ମିଶିବା ଫଳରେ ଏହା ଅଧିକ ନିଶା ହେଉଥିଲା। ଲକ୍‌ଡାଉନ୍‌ ସମୟରେ ମଦ ମିଳୁ ନ ଥିବାରୁ ନିଶାସକ୍ତ ବ୍ୟକ୍ତିମାନଙ୍କୁ ସେମାନେ ଏହି କଫ ସିରପ ବିକୁଥିଲେ। ଏଭଳି ବେଆଇନ କାର୍ଯ୍ୟ କରିବା ସମ୍ପର୍କରେ ଅଭିଯୁକ୍ତ ଦ୍ୱୟ ପୋଲିସ ନିକଟରେ ସ୍ବୀକାର କରିଥିଲେ।