Categories: ଜାତୀୟ

ଜଣେ କଏଦୀଙ୍କ ପାଇଁ ଦିନକୁ ଖର୍ଚ୍ଚ ୧୧୮ ଟଙ୍କା: ଏନ୍‌ସିଆର୍‌ବି ରିପୋର୍ଟ

ନୂଆଦିଲ୍ଲୀ, ୬।୯: ଦେଶରେ ଥିବା ବିଭିନ୍ନ ଜେଲ୍‌ରେ ଥିବା କଏଦୀଙ୍କ ପାଇଁ ଦିନକୁ କେତେ ଟଙ୍କା ଖର୍ଚ୍ଚ ହେଉଛି ତାହାର ରିପୋଟ ପ୍ରକାଶ ପାଇଛି। ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ, ଜଣେ କଏଦୀଙ୍କ ପାଇଁ ଦିନକୁ ୧୧୮ ଟଙ୍କା ଖର୍ଚ୍ଚ ହେଉଛି। ଦେଶର ବିଭିନ୍ନ ଜେଲ୍‌ରେ ୪ ଲକ୍ଷ ୭୮ ହଜାରରୁ ଅଧିକ କଏଦୀ ରହିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ୧୩୫୦ ଜେଲ୍‌ରେ ମୋଟ ୫୯୫୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେଥିମଧ୍ୟରୁ ୨୦୬୧ କୋଟି ଟଙ୍କା କେବଳ କଏଦୀଙ୍କ ପାଇଁ ଖର୍ଚ୍ଚ ହୋଇଛି। ସେଥିମଧ୍ୟରୁ ୮୯ କୋଟି ୪୮ ଲକ୍ଷ ଔଷଧରେ ଖର୍ଚ୍ଚ ହୋଇଛି। ସେହିପରି କଏଦୀଙ୍କ ଶିକ୍ଷା ଏବଂ ତାଲିମ୍‌ରେ ୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ପୋଷାକ ପାଇଁ ୨୨ କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ କଏଦୀ କଲ୍ୟାଣ କାର୍ଯ୍ୟକ୍ରମରେ ୨୦ କୋଟି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସର୍ବାଧିକ ୪୮ ପ୍ରତିଶତ ଟଙ୍କା କେବଳ ଖାଦ୍ୟରେ ଖର୍ଚ୍ଚ ହୋଇଛି ବୋଲି ଏନ୍‌ସିଆର୍‌ବି ରିପୋର୍ଟରେ ଦର୍ଶାଯାଇଛି। କଏଦୀଙ୍କ ପାଇଁ ୫ ରାଜ୍ୟ ସର୍ବାଧିକ ଖର୍ଚ୍ଚ କରୁଥିବା ଏଥିରେ ପ୍ରକାଶ ପାଇଛି। ସେସବୁ ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ରହିଛି। ୨୦୧୯ ଡିସେମ୍ବର ସୁଦ୍ଧା ଦେଶର ୮୦୮ ଜେଲ୍‌ରେ ଭିଡ଼ିଓ କନଫରେନ୍ସିଂ ସୁବିଧା ଆରମ୍ଭ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଜେଲ୍‌ ପାଇଁ ୬୭୫ କୋଟି ଟଙ୍କା ଅଧିକ ଖର୍ଚ୍ଚ ହୋଇଛି। ଜେଲରେ ସମ୍ପ୍ରତି ପ୍ରାୟ ୬୦ ହଜାର ୭୯୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେହିପରି ୨୭ ହଜାର ପଦପଦବୀ ଖାଲି ପଡ଼ିଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share