Categories: ଜାତୀୟ

ଦୁର୍ନୀତି ସବୁ ସମସ୍ୟାର ମୂଳ

ଲକ୍ଷ୍ନୌ,୭।୩(ଆଇଏଏନ୍‌ଏସ୍‌): ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍‌ ଜଣେ ସରକାରୀ ଡାକ୍ତରଙ୍କୁ ଆଗୁଆ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ପ୍ରତ୍ୟେକ ବ୍ୟବସ୍ଥାରେ ଦୁର୍ନୀତି ଉଇ ଭଳି, ଏହା ଥରେ ବ୍ୟବସ୍ଥା ମଧ୍ୟରେ ପ୍ରବେଶ କରିବା ପରେ ବଢ଼ିଚାଲେ ବୋଲି ଏହି ଅବସରରେ ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି। ଆଜିକାଲି ଏହା ଅନିୟନ୍ତ୍ରିତ ଓ ନିୟମିତ ହୋଇଗଲାଣି ବୋଲି ଜଷ୍ଟିସ କ୍ରିଷ୍ଣା ପହଲ କହିଛନ୍ତି। ଦାରିଦ୍ର୍ୟ, ବେରୋଜଗାରି, ନିରକ୍ଷରତା, ପ୍ରଦୂଷଣ, ବାହ୍ୟ ଧମକ, ଅବହେଳିତ, ଅସମାନତା, ସାମାଜିକ ଅଶାନ୍ତି ଆଦି ସବୁ ସମସ୍ୟାର ମୂଳ କାରଣ ଦୁର୍ନୀତି ବୋଲି ସେ ମତ ଦେଇଛନ୍ତି। ଦୁର୍ନୀତି ସମାଜ ବିରୋଧରେ ଅପରାଧ। ଅଦାଲତଙ୍କୁ ଅଭିଯୁକ୍ତଙ୍କ ମୌଳିକ ଅଧିକାର ଏବଂ ସମାଜର ନ୍ୟାୟସଙ୍ଗତ ଚିନ୍ତା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ହେବ ବୋଲି ବିଚାରପତି କହିଛନ୍ତି।
ଲକ୍ଷ୍ନୌର ଚାରବାଗସ୍ଥିତ ଉତ୍ତରାଞ୍ଚଳ ରେଲେଓରେ ପୂର୍ବରୁ ବରିଷ୍ଠ ଡିଭିଜନାଲ ମେଡିକାଲ ଅଫିସର (ଡିଏମ୍‌ଓ) ଭାବେ କାର୍ଯ୍ୟ କରୁଥିବା ଡ. ସୁନୀତା ଗୁପ୍ତାଙ୍କ ତରଫରୁ ତାଙ୍କ ସ୍ବାମୀ ଡ. ରାଜୀବ ଗୁପ୍ତା ଆଗୁଆ ଜାମିନ ଆବେଦନ କରିଥିଲେ। ସୁନୀତା ରେଡିଓଲୋଜି ବିଭାଗରେ କାର୍ଯ୍ୟ କରୁଥିଲେ। ଡ. ରାଜୀବ କିଙ୍ଗ୍‌ ଜର୍ଜସ୍‌ ମେଡିକାଲ ୟୁନିଭର୍ସିଟିରେ ଅନ୍‌କୋଲୋଜିଷ୍ଟ ଭାବେ କାର୍ଯ୍ୟ କରନ୍ତି। ସିବିଆଇ ସେମାନଙ୍କ ବିରୋଧରେ ଆଇପିସି ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରିଥିଲା। ସୁନୀତାଙ୍କର ୧.୮୦ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଅଭିଯୋଗ ହୋଇଥିବାବେଳେ ତାଙ୍କ ଲକ୍ଷ୍ନୌ ଘରୁ ୨୦୧୬ ଜୁଲାଇ ୧୨ରେ ସିବିଆଇ ୧.୫୯ କୋଟି ଟଙ୍କା ଜବତ କରିଥିଲା। ବେଆଇନ ସମ୍ପତ୍ତି ଠୁଳରେ ସୁନୀତାଙ୍କୁ ତାଙ୍କ ସ୍ବାମୀ ସହଯୋଗ କରିଥିବା ସିବିଆଇ ପକ୍ଷରୁ ଅଦାଲତଙ୍କୁ କୁହାଯାଇଥିଲା। ସିବିଆଇ ଓକିଲ ଅନୁରାଗ କୁମାର ସିଂ ଡାକ୍ତରଙ୍କ ଆଗୁଆ ଜାମିନକୁ ବିରୋଧ କରିଥିଲେ। ମେଡିକାଲ ଶିକ୍ଷା ସମାପ୍ତି ପରେ ଡାକ୍ତରମାନେ ସମାବର୍ତ୍ତନ ଉତ୍ସବରେ ନେଉଥିବା ଶପଥ ସମ୍ପର୍କରେ କୋର୍ଟ ଅବତାରଣା କରିଥିଲେ। ଏହା କେବଳ ଔପଚାରିକତା ନୁହେଁ। ଏହାକୁ ନିଷ୍ଠାର ସହ ପାଳନ କରିବାକୁ ହୋଇଥାଏ ବୋଲି ଅଦାଲତ କହିଥିଲେ।

 

Share