Categories: ଜାତୀୟ

ଅତୃପ୍ତ ସମ୍ପତ୍ତି ଲୋଭ ଯୋଗୁ କ୍ୟାନ୍‌ସର ଭଳି ବଢ଼ୁଛି ଦୁର୍ନୀତି

ନୂଆଦିଲ୍ଲୀ, ୪ା୩(ପି.ଟି.): ସମ୍ପତ୍ତି ହାସଲ କରିବାର ଅତୃପ୍ତ ଲୋଭ ଯୋଗୁ ସମାଜରେ ଦୁର୍ନୀତି କ୍ୟାନ୍‌ସର ଭଳି ମାଡ଼ିଚାଲିଛି। ଦୁର୍ନୀତିକୁ ଆଦୌ ବରଦାସ୍ତ ନ କରିବା ଏବଂ ଏଭଳି ଅପରାଧ ମାମଲାର ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସାମ୍ବିଧାନିକ ଅଦାଲତଗୁଡ଼ିକର କର୍ତ୍ତବ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସମ୍ପତ୍ତିର ସୁଷମ ବଣ୍ଟନ ଲକ୍ଷ୍ୟ ହାସଲର ପ୍ରୟାସ ଦ୍ୱାରା ଭାରତର ଜନସାଧାରଣଙ୍କୁ ସାମାଜିକ ନ୍ୟାୟ ସୁନିଶ୍ଚିତ କରାଇବା ସମ୍ବିଧାନର ପ୍ରସ୍ତାବନାରେ ପ୍ରତିଶ୍ରୁତି ଦିଆଯାଇଛି। ତେବେ ଏହାକୁ ହାସଲ କରିବାରେ ଦୁର୍ନୀତି ସବୁଠୁ ବଡ଼ ପ୍ରତିବନ୍ଧକ ସାଜିଥିବା ସର୍ବୋଚ୍ଚ ଅଦାଲତ କହିଛନ୍ତି। ଛତିଶଗଡ଼ ହାଇକୋର୍ଟଙ୍କ ଏକ ରାୟକୁ ଖାରଜ କରିବା ଅବସରରେ ଜଷ୍ଟିସ୍‌ ଏସ୍‌. ରବୀନ୍ଦ୍ର ଭଟ୍ଟ ଏବଂ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ଛତିଶଗଡ଼ର ପୂର୍ବତନ ପ୍ରମୁଖ ସଚିବ ଅମନ ସିଂ ଓ ତାଙ୍କ ସ୍ତ୍ରୀ ବିପୁଳ ପରିମାଣରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଏକ ଏତଲାକୁ ହାଇକୋର୍ଟ ଖାରଜ କରିଦେଇଥିବାରୁ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଦୁର୍ନୀତି ଏକ ବ୍ୟାଧିରେ ପରିଣତ ହୋଇଛି। ସବୁ ବର୍ଗର ଲୋକ ଏହାର ଉପସ୍ଥିତି ଅନୁଭବ କରୁଛନ୍ତି। ଏହା କେବଳ ଶାସନ କାର୍ଯ୍ୟ ପରିସରରେ ସୀମିତ ହୋଇ ରହିନାହିଁ, ଜଣକ ଜୀବନର ମାଧ୍ୟମ ପାଲଟିଗଲାଣି ବୋଲି ଦାୟିତ୍ୱବାନ୍‌ ନାଗରିକ କହୁଥିବା ଖଣ୍ଡପୀଠ ମତ ଦେଇଛନ୍ତି।

Share