ପାଇଖାନା ନିର୍ମାଣରେ ଦୁର୍ନୀତି: କାମ ନ କରି ହୋଇଛି ବିଲ୍‌

କୋରୁକୋଣ୍ଡା,୭ା୧୨(ଡି.ଏନ. ଏ.): ସରକାର ସ୍ବଚ୍ଛ ଭାରତ ଅଭିଯାନ ନାମରେ ବହୁ ଅର୍ଥ ଖର୍ଚ୍ଚ କରୁଥିବା କହୁଥିବା ବେଳେ ଏଥିରୁ ହିତାଧିକାରୀମାନେ ସୁଫଳ ପାଉନାହାନ୍ତି। ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ମାରିବେଡା ପଞ୍ଚାୟତର ରାଖେଲଗୁଡା ଗ୍ରାମରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏପରିକି ହିତାଧିକାରୀଙ୍କ ପାଇଖାନା ନିର୍ମାଣ ନ ହୋଇ କାଗଜପତ୍ରରେ ପାଇଖାନା ନିର୍ମାଣ ସରିଥିବା ଦର୍ଶାଇ ବିଲ୍‌ କରି ଅର୍ଥ ହଡପ କରାଯାଇଛି। ରାଖେଲଗୁଡାଗ୍ରାମରେ ୧୦୦ ପରିବାର ବସବାସ କରନ୍ତି। ସେଥିରୁ ୪୦ରୁ ଊଦ୍ଧର୍‌ବ ପରିବାରକୁ ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ କରାଯାଇ ଶୌଚାଳୟ କରିବା ନିମନ୍ତେ ଟଙ୍କା ଆସିଥିଲା। ମାତ୍ର ଗ୍ରାମର କୌଣସି ପରିବାରରେ ଶୌଚାଳୟ ନିର୍ମାଣ ନ କରି ଲକ୍ଷାଧିକ ଟଙ୍କା ହଡପ କରାଯାଇଛି। ଦୁଇଟି ଲାଟ୍ରିନକୁ ମିଶାଇ ଗୋଟିଏ କାନ୍ଥରେ ଅଳ୍ପ କିଛି ଇଟା ଉଠାଇ ବିଲ୍‌ ହୋଇଛି । ନା ଶୌଚାଳୟ ଅଛି, ନା ଲାଟ୍ରିନ ଟାଙ୍କି ଅବା ନା ବସାଯାଇଛି ସ୍ପାନ। ଏଭଳି ଭାବରେ ଏଥିରୁ ଟଙ୍କା ହଡପ କରାଯାଇଛି। ଏଥିରେ ଠିକାଦାର, ଯନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି। ଗ୍ରାମବାସୀ ପୂର୍ବରୁ ଯେପରି ପଡିଆ ଅବା ନଦୀ ତୁଠକୁ ଶୌଚ ପାଇଁ ଯାଉଥିଲେ ଏବେ ମଧ୍ୟ ଯାଉଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ପୁନର୍ବାର ନୂତନ ଶୌଚାଳୟ ନିର୍ମାଣ କରିବା ଲାଗି ଗ୍ରାମର ଦେବା କବାସୀ, ରମେଶ ପଡ଼ିଆମି, ରାଜା କବାସୀ, ଉରା ପଡ଼ିଆମି, ଇର୍ମା କବାସୀ, ଗଙ୍ଗା ପଡ଼ିଆମିଙ୍କ ଗ୍ରାମବାସୀ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ, ରାଖେଲଗୁଡ଼ା ଗ୍ରାମଟି ପୋଟେରୁ ନଦୀର ଅପରପାର୍ଶ୍ୱରେ ରହିଛି। ଗ୍ରାମକୁ ଲୋକେ ଡଙ୍ଗାରେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରନ୍ତି। ଗ୍ରାମକୁ ଯିବାଲାଗି ରାସ୍ତା ନ ଥିବାରୁ ବ୍ଲକର କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ଗ୍ରାମରେ ପଡେ ନାହିଁ।