ଗୁଣପୁର,୫।୫( ସୁଜାତା ପାଢ଼ୀ/ସଂକେତ ପାତ୍ର): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଲ୍ୟାମ୍ପ୍ସରେ ଆର୍ଥିକ ଅନିୟମିତତା ଅଭିଯୋଗ ଆସିଛି। ଚାଷୀମାନଙ୍କ ଜମା ଟଙ୍କା ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରସାଦ ତ୍ରିପାଠୀ ହଡ଼ପ କରିଥିବା ଅଭିଯୋଗ ହୋଇଛି । ଶନିବାର ଏଆରସିଏସ୍ କାର୍ଯ୍ୟାଳୟ ଟିମ୍ ଚଢ଼ାଉ କରି ତଦନ୍ତ କରିଥିଲେ। ଲ୍ୟାମ୍ପ୍ସ ପକ୍ଷରୁ ବିଭିନ୍ନ କାମ ନାମରେ ମିଥ୍ୟା ଖର୍ଚ୍ଚ ଦର୍ଶାଇଯାଇଛି। କେଉଁଠି ପାଚେରୀ ନିର୍ମାଣ ତ କେଉଁଠି ମରାମତି କାମ ଦେଖାଇ ଟଙ୍କା ଉଠାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତଦନ୍ତ ବେଳେ ବ୍ୟାଙ୍କ ଜମା ଖାତା ଓ କ୍ୟାସ୍ବୁକ ମେଳ ଖାଉ ନ ଥିବାବେଳେ ହିସାବ ରକ୍ଷକଙ୍କ ଅଜାଣତରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରାସାଦ ତ୍ରିପାଠୀଙ୍କୁ ଦାୟିତ୍ୱରୁ ହଟାଯାଇ ଏରିଆ ମ୍ୟାନେଜର ସିଲା ନିରଞ୍ଜନଙ୍କୁ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି।
ସେହିପରି ଚାଷୀମାନଙ୍କୁ ନିମ୍ନମାନର ସାର ଓ ବିହନ ବଣ୍ଟନ ସହିତ ମଣ୍ଡିରେ ଅନିୟମିତତା କରି ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ତଦନ୍ତ ସମୟରେ ଜଣାପଡ଼ିଛି। ଶନିବାର ଏହି ତଦନ୍ତ ସମୟରେ ଲ୍ୟାମ୍ପ ପରିଚାଳନା କମିଟି ସଭାପତି ଶଙ୍କର ହୁଇକା, ଉପସଭାପତି ପ୍ରମିଳା କାଡ୍ରାକା ଓ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ। ଘଟଣାର ତଦନ୍ତ ଚାଲିଛି ଓ ତଦନ୍ତ ପରେ ଦୁର୍ନୀତି ହୋଇଥିବା ଏବଂ କେତେ ଟଙ୍କା ହୋଇଛି ତାର ତଥ୍ୟ ସାମ୍ନାକୁ ଆସିବ। ପ୍ରାରମ୍ଭିକ ସୂତ୍ରରୁ ଦୁର୍ନୀତିର ପରିମାଣ ୫୦ ଲକ୍ଷରୁ ଅଧିକା ହୋଇ ନ ଥିବା ଅନୁମାନ କରାଯାଇଛି I ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ମିଳିପାରିବ ବୋଲି ଡିଆରସିଏସ ଜନ୍ମେଜୟ ମହାପାତ୍ର ଓ କ୍ଷେତ୍ର ଅଧିକାରୀ ଜି. କୃଷ୍ଣମୂର୍ତ୍ତି ରାଓ କହିଛନ୍ତି। ଏ ନେଇ ଲ୍ୟାମ୍ପର ଖାତା ପାତ୍ର ଯାଞ୍ଚ ଚାଲିଛି ବୋଲି ସେ କହିଛନ୍ତି I
ସୂଚନାଯୋଗ୍ୟ, ଗତ ୧୩. ୪.୨୬ ଜିଲାସ୍ତରୀୟ ଜନ ଶୁଣାଣିରେ କେତେଜଣ ଚାଷୀ କଲ୍ୟାଣସିଂହପୁର ଲ୍ୟାମ୍ପସରେ ଦୁର୍ନୀତି ହେଉଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ନେଇ ତଦନ୍ତ ପାଇଁ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ତଦନ୍ତ ପାଇଁ ଡିଆରସିଏସ୍ ଜନ୍ମେଜୟ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେବା ପରେ ସେ ଲ୍ୟାମ୍ପକୁ ଆସି ତଦନ୍ତ ଆରମ୍ଭ କରିଥିଲେ। ଦୁର୍ନୀତିର ଚେର ଲମ୍ବିଥିବା ଜାଣି ପରିଚାଳନା କମିଟିର ସଭାପତି, ଉପ ସଭାପତି ଓ ସଦସ୍ୟମାନଙ୍କୁ ଏଆରସିଏସ ମହାପାତ୍ର ଚିଠି କରି ଲ୍ୟାମ୍ପକୁ ଡ଼କାଇଥିଲେ। ସମସ୍ତ ସଭ୍ୟ ଆସିବାପରେ ଟଙ୍କା କାରବାର ହୋଇଥିବା ପ୍ରମାଣପତ୍ର ଲ୍ୟାମ୍ପ ଏମ୍ଡି ତାରିଣୀପ୍ରସାଦ ତ୍ରିପାଠୀଙ୍କୁ ମାଗିବାରୁ କୌଣସି ପ୍ରମାଣ ଏ ଯାଏ ଦେଖାଇ ପାରିନଥିବାରୁ ସନ୍ଦେହରେ ବ୍ୟାଙ୍କ ଜମା ବହି ଓ ଦୈନଦିନ ଖାତା ଯାଞ୍ଚ କରାଯାଇଥିଲା। ଉକ୍ତ ଖାତାରେ ହିସାବ ରକ୍ଷକଙ୍କ ଅଜାଣତରେ ବ୍ୟାଙ୍କ ଖାତାରୁ ଲକ୍ଷ ଲକ୍ଷ ଟଙ୍କା ଉଠିଯିବା ଦୈନିକ ଖାତାରେ ଲେଖା ନ ହେବା ଘଟଣା ସାମ୍ନାକୁ ଆସିଥିଲା। ସେହିଭଳି ପୂର୍ବରୁ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଗ୍ରାଚ୍ୟୁଟି ଇପିଏଫ ଓ ସମସ୍ତ ଟଙ୍କା ଦୁଇ ଦୁଇ ଥର ହଡପ କଥା ମଧ୍ୟ ସାମ୍ନାକୁ ଆସିଥିଲା I