Categories: ଜାତୀୟ

‘ଦୁର୍ନୀତିଗ୍ରସ୍ତ ଲୋକେ ଦେଶକୁ ଧ୍ୱଂସ କରୁଛନ୍ତି’

ନୂଆଦିଲ୍ଲୀ,୧୦ା୧୧: ଦୁର୍ନୀତିଗ୍ରସ୍ତ ଲୋକେ ଦେଶକୁ ଧ୍ୱଂସ କରୁଛନ୍ତି। ସେମାନେ ଦୁର୍ନୀତି ଟଙ୍କା ବଳରେ ମାମଲାରୁ ଖସିଯାଉଛନ୍ତି ବୋଲି ବୁଧବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଲ୍‌ଗାର ପରିଷଦ ମାମଲାର ଅଭିଯୁକ୍ତ ଆକ୍ଟିଭିଷ୍ଟ ଗୌତମ ନଭଲଖାଙ୍କୁ ବିଚାରବିଭାଗୀୟ ହାଜତରେ ରଖାଯାଇଛି।

ସେ ଏହା ପରିବର୍ତ୍ତେ ଗୃହବନ୍ଦୀ ରହିବା ପାଇଁ କରିଥିବା ଏକ ଆବେଦନର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଏହି ଟିପ୍ପଣୀ ଦେଇଛନ୍ତି।
ନଭଲଖାଙ୍କ ଭଳି ଲୋକେ ଦେଶକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି। ସେମାନଙ୍କ ବିଚାରଧାରା ସେହି ଧରଣର। ସେମାନେ ନିରୀହ ଲୋକ ନୁହନ୍ତି, ବରଂ ଅନେକ ଆକ୍ରମଣରେ ସମ୍ପୃକ୍ତ ବୋଲି ଏନ୍‌ଆଇଏ ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି. ରାଜୁ ଯୁକ୍ତି ବାଢ଼ିଥିଲେ। ଜଷ୍ଟିସ୍‌ କେ.ଏମ୍‌. ଜୋସେଫଙ୍କ ଖଣ୍ଡପୀଠ କହିଥିଲେ, ଦୁର୍ନୀତିଗ୍ରସ୍ତ ଲୋକେ ହିଁ ଦେଶକୁ ଧ୍ୱଂସ କରୁଛନ୍ତି। ଯେଉଁ ଅଫିସକୁ ଗଲେ ଦୁର୍ନୀତି ଦେଖିବାକୁ ମିଳୁଛି। ସେମାନଙ୍କ ବିରୋଧରେ କିଏ କାର୍ଯ୍ୟାନୁଷ୍ଠାନ ନେଉଛି।

Share