କରେସପଣ୍ଡେନ୍ସ କୋର୍ସ ନାମଲେଖା ତଥ୍ୟ ଦାଖଲ ନିର୍ଦ୍ଦେଶ

ଭୁବନେଶ୍ୱର,୫।୨(ବ୍ୟୁରୋ): ୨୦୨୨-୨୩ ଶିକ୍ଷା ବର୍ଷରେ ଯୁକ୍ତ୨ ପ୍ରଥମ ବର୍ଷ କରେସପଣ୍ଡେନ୍ସ କୋର୍ସ (ଆନୁଷଙ୍ଗିକ ପାଠ୍ୟକ୍ରମ)ରେ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ତଥ୍ୟ ଦାଖଲ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ନିର୍ଦ୍ଦେଶ ଦେଇଛି। ଏ ନେଇ ଶନିବାର ପରିଷଦ ପକ୍ଷରୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ପ୍ରତି ଛାତ୍ରୀଛାତ୍ରଙ୍କ କମନ ଆପ୍ଲିକେଶନ ଫର୍ମ, ଦଶମ ମାର୍କଶିଟ୍‌ ଓ ସାର୍ଟିଫିକେଟ୍‌, ଲିଭିଂ ସାର୍ଟିଫିକେଟ୍‌, କଣ୍ଡକ୍ଟ ସାର୍ଟିଫିକେଟ୍‌, ମାଇଗ୍ରେଶନ ସାର୍ଟିଫିକେଟ୍‌, ନାମଲେଖା ଫି’ ଦାଖଲର ରସିଦ ଏବଂ କାଷ୍ଟ ସାର୍ଟିଫିକେଟ୍‌ ଆଦି ତଥ୍ୟ ଦାଖଲ କରିବା ପାଇଁ କୁହାଯାଇଛି। ଆସନ୍ତା ୧୫ ତାରିଖ ସୁଦ୍ଧା ଏ ସମସ୍ତ ତଥ୍ୟ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକ ସେମାନଙ୍କ ଜୋନ୍‌ ଅଫିସ ଡେପୁଟି ସେକ୍ରେଟେରୀଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଏହାର ସଫ୍ଟ କପି ଏକ୍ସେଲ ଫାଇଲ୍‌ରେ ପରିଷଦର ଓ୍ବେବ୍‌ସାଇଟ୍‌ chseodisha@gmail.comକୁ ମଧ୍ୟ ପଠାଇବେ। ଯେଉଁ ଉଚ୍ଚ ମାଧ୍ୟମିକ ସ୍କୁଲରେ ଆନୁଷଙ୍ଗିକ ପାଠ୍ୟକ୍ରମ ନାମଲେଖା ହୋଇନାହିଁ, ସେମାନେ ମଧ୍ୟ ଯଥାଶୀଘ୍ର ପରିଷଦକୁ ଅବଗତ କରାଇବେ ବୋଲି ଚିଠିରେ ଉଲ୍ଲେଖ ରହିଛି।