ପାଇପ୍‌ ବିଛାଇ ମରାମତି କରୁନି ଠିକାସଂସ୍ଥା

କେନ୍ଦୁଝର,୨୬ା୧୨(ସ୍ବ.ପ୍ର.):କେନ୍ଦୁଝର ସହରରେ ବିଭିନ୍ନ ସାହି ଓ ଓ୍ବାର୍ଡରେ ଜଳ ଯୋଗାଣ ନିମନ୍ତେ ପାଇପ ବିଛା କାମ ଚାଲିଛି। ଏଥିପାଇଁ କାମ ନେଇଥିବା ଠିକାସଂସ୍ଥା ରାସ୍ତା ଖୋଳି ପାଇପ୍‌ ବିଛାଇବା ପରେ ମରାମତି ନ କରି ଛାଡ଼ିଦେଉଛି। ଫଳରେ ବିଭିନ୍ନ ଓ୍ବାର୍ଡର ରାସ୍ତାଗୁଡ଼ିକ ନଷ୍ଟ ହେବା ସହ କଂକ୍ରିଟ୍‌ ଖଣ୍ଡ ପଡ଼ି ଶୋଚନୀୟ ହୋଇପଡ଼ିଛି। ଏହା ଦ୍ୱାରା ପୌରପାଳିକାର ବ୍ୟାପକ ଅର୍ଥ କ୍ଷତି ହେବା ସହ ଲୋକେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ଏନେଇ ପୌର ପରିଷଦ ଚିଠି ନଂ. ୮୩୧୬/୧୦ ନଭେମ୍ବର ୨୦୨୨ରେ ଜନସ୍ବାସ୍ଥ୍ୟ ବିଭାଗକୁ ଚିଠି କରିଥିଲା। ମାତ୍ର ଚିଠିକୁ ଦେଢ଼ ମାସ ପୁରିଥିଲେ ହେଁ ମରାମତି କରିବା ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।
ମୋହନଗଡ଼ କନଷ୍ଟ୍ରକସନ ନାମକ ସଂସ୍ଥା ଅନ୍ୟ ୪ ଠିକାଦାରଙ୍କୁ ସବ୍‌ଲେଟ୍‌ ଦେଇ ସହରରେ ପାଇପ୍‌ ବିଛା କାମ କରୁଛି। ସଂସ୍ଥା ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ସମେତ ଅନେକ ସ୍ଥାନରେ ରାସ୍ତା ମଝିରେ ପାଇପ ବିଛାଇବା ପାଇଁ ଖୋଳାଯାଇଥିଲା। ପାଇପ୍‌ ବିଛାଇବା ପରେ ରାସ୍ତା ମରାମତି ନ କରି ଛାଡ଼ି ଦେଇଛି। ଅନେକ ସ୍ଥାନରେ ମାଟି ଘୋଡ଼ାଇ ଉଚ୍ଚାନିଚା କରିଦେଉଥିବାରୁ ବିପଦ ସାଜୁଛି। ପୂର୍ବରୁ ମାଧପୁର, ମାଗୁରଗାଡ଼ିଆ, ଜଗନ୍ନାଥପୁର, ବୁଲାଦାରସାହି, କଲେଜରୋଡ, ବଣିଆପାଟ, ପୁରୁଣା ସହର ଆଦି ଅଞ୍ଚଳରେ ରାସ୍ତା ଖୋଳି ଛାଡ଼ି ଦିଆଯାଇଛି। ଟେଣ୍ଡର ନିୟମ ଅନୁଯାୟୀ ରାସ୍ତାର ମରାମତି କାମ ସମ୍ପୃକ୍ତ ଠିକାସଂସ୍ଥା କରିବା କଥା। ଏଥି ପାଇଁ ମଧ୍ୟ ଠିକାଦାରଙ୍କୁ ଅର୍ଥ ବରାଦ ହୋଇଛି। କିନ୍ତୁ ବିଭିନ୍ନ ଆଳ ଦେଖାଇ ଦୀର୍ଘ ମାସ ହେଲା ମରାମତି କରୁ ନ ଥିବାରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ନଷ୍ଟ ହେଉଛି। କାମ ସମୟରେ ଜନସ୍ବାସ୍ଥ୍ୟ ବିଭାଗ କିମ୍ବା ପୌରପାଳିକାର କୌଣସି ଯନ୍ତ୍ରୀ ଉପସ୍ଥିତ ରହୁନାହାନ୍ତି। ଫଳରେ ଠିକାଦାରଙ୍କ ବେପରୁଆ କାମ ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ସହରବାସୀ ପ୍ରଦୀପ ମହାନ୍ତି କହିଛନ୍ତି। ଲୋକଙ୍କ ସମସ୍ୟାକୁ ଉପଲବ୍ଧି କରି ପୌରାଧ୍ୟକ୍ଷା ନିକୁ ସାହୁ କାମର ତଦାରଖ କରୁଥିବା ଜନସ୍ବାସ୍ଥ୍ୟ ବିଭାଗକୁ ଚିଠି କରିଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି। ଏ ସମ୍ପର୍କରେ ୱାଟ୍‌କୋ ଜେନେରାଲ ମ୍ୟାନେଜର (ଜନସ୍ବାସ୍ଥ୍ୟ ବିଭାଗ) ଇଂ. ନାରଦଚନ୍ଦ୍ର ରଥ କହିଛନ୍ତି, ପାଇପ ବିଛା କାମ ସରିବା ପରେ ରାସ୍ତା ମରାମତି କରାଯିବ। ଏ ନେଇ ଠିକାଦାରଙ୍କୁ କୁହାଯାଇଛି ବୋଲି ସେ କହିଥିଲେ।