ଟିକା ଆସିବା ପୂର୍ବରୁ ୨୦ ଲକ୍ଷଙ୍କ ମୁଣ୍ଡ ନେଇ ସାରିଥିବ କରୋନା: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୨୬।୯: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏଭଳି ସ୍ଥିତି ଜାରି ରହିଲେ ପ୍ରତିଷେଧକ ଟିକା ଆସିବା ପୂର୍ବରୁ କରୋନା ୨୦ ଲକ୍ଷ ଲୋକଙ୍କ ମୁଣ୍ଡ ନେଇ ସାରିଥିବ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ଡବ୍ଲ୍ୟୁଏଚ୍‌ଓର ଜରୁରୀକାଳୀନ କାର୍ଯ୍ୟକ୍ରମ ମୁଖ୍ୟ ମାଇକ୍‌ ରୟାନ ଏନେଇ ସତର୍କ ସୂଚନା ଦେଇଛନ୍ତି। ସମ୍ପ୍ରତି ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୯ ଲକ୍ଷ ୯୩ ହଜାର ୪୬୩ ରହିଛି। ୯ ମାସ ମଧ୍ୟରେ ଏସବୁ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏଥିରେ ୩ କୋଟି ୨୭ ଲକ୍ଷ ୬୫ ହଜାର ୨୦୪ରେ ପହଞ୍ଚିଛି। ଟିକା ବାହାରି ନ ଥିବାରୁ ସଚେତନତା ହିଁ ଏକମାତ୍ର ସୁରକ୍ଷା ବ୍ୟବସ୍ଥା। ବିଭିନ୍ନ ସୁରକ୍ଷା ମାର୍ଗଦର୍ଶିକା ପାଳନ କରିବା ଅପରିହାର୍ଯ୍ୟ ହୋଇପଡ଼ିଛିବୋଲି ସେ କହିଛନ୍ତି। ବହୁ ଦେଶରେ ବୈଜ୍ଞାନିକ ଟିକା ପ୍ରସ୍ତୁତି କାର୍ଯ୍ୟରେ ଲାଗିରହିଛନ୍ତି। କେତେକ ଟିକାର ପରୀକ୍ଷଣ ମଧ୍ୟ ଜାରି ରହିଛି। ଏକ୍ଷେତ୍ରରେ ସମସ୍ତ ଦେଶ ମିଳିତ ଭାବେ କାମ କରିବାକୁ ଆଗେଇ ଆସିବା ଆବଶ୍ୟକ। ୨୦୨୧ ପୂର୍ବରୁ କରୋନା ଟିକା ଆସିବାର ସମ୍ଭାବନା ମଧ୍ୟ ନାହିଁ। ସେହିପରି ସମ୍ପୂର୍ଣ୍ଣ ପରୀକ୍ଷା ହୋଇ ନ ଥିବା ଟିକାର ପ୍ରୟୋଗ କ୍ଷତିକାରକ। ଟିକାର ପରୀକ୍ଷା ମଧ୍ୟ ସମୟ ସାପେକ୍ଷ। ଟିକା ଆସିବାରେ ବିଳମ୍ବ ହେଲେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିଚାଲିବ ବୋଲି ସେ ସୂଚନା ଦେଇଛନ୍ତି।

Share