କରୋନା ସଂକ୍ରମଣ: ୧୫ ମାର୍ଚ୍ଚ ପରେ ବିବାହ ମନା

ନାସିକ,୯ ।୩: କରୋନାର ଲେଉଟାଣି ପୁଣି ଥରେ ଦେଶବାସୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ବିଶେଷ ଭାବେ ପ୍ରଥମଥର ଭଳି ଏଥର ବି ମହାରାଷ୍ଟ୍ର ଉପରେ ଯେମିତି ଦାଉ ସାଧିଛି । ତେବେ ନାସିକରେ ବେଳକୁ ବେଳ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ । ତେଣୁ ଜିଲା ପ୍ରଶାସନ ପକ୍ଷରୁ ସେଠାରେ ୱିକ ଏଣ୍ଡ ଲକ୍ ଡାଉଡ଼ ଲଗାଇବାକୁ ଯୋଜନା କରାଯାଉଥିବା ବେଳେ ଆହୁରି ମଧ୍ୟ କିଛି କଟକଣା ଲାଗୁ କରାଯିବାକୁ ଯୋଜନା କରାଯାଉଛି । ମିଳିିଥିବା ରିପୋର୍ଟ ଅନୁଯାୟୀ ସେଠାରେ ସୋମବାର ସୁଦ୍ଧା ୬୨୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୨୬,୫୭୦ରେ ପହଞ୍ଚିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦ୍ୱାରା ସ୍ଥିତିର ସମୀକ୍ଷା କରାଯିବା ପରେ ପ୍ରତିବନ୍ଧ ଲାଗୁ କରାଯିବାକୁ ନେଇ ଜିଲା ପ୍ରଶାସନ କହିଛନ୍ତି ମାର୍ଚ୍ଚ ୧୫ ପରେ ନାସିକରେ ଆଉ ବିବାହ କାର୍ଯ୍ୟ କରାଯାଇ ପାରିବ ନାହିଁ । ପୂର୍ବରୁ ବିବାହ ପାଇଁ ଯେଉଁମାନଙ୍କୁ ଅନୁମତି ପ୍ରଦାନ କରାଯାଇଛି କେବଳ ସେହିମାନେ ମାର୍ଚ୍ଚ ୧୫ ମଧ୍ୟରେ ବିବାହ କାର୍ଯ୍ୟ ସାରିବାକୁ କୁହାଯାଇଛି । ଏହାପରେ ନିର୍ଦ୍ଦେଶ ଆସିଲେ ବିବାହ କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ କରାଯିବ । ନାସିକର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ଜରୁରୀ ସେବାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ସନ୍ଧ୍ୟା ୭ଟା ସୁଦ୍ଧା ବନ୍ଦ କରିବାକୁ ପଡିବ । ହୋମ ଡେଲିଭରି ପାଇଁ ରାତି ୧୧ଟା ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯିବ ।

Share