CORONAVIRUS UPDATE: ଦିନକରେ ଚିହ୍ନଟ ହେଲେ ୨୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩,୭୨୩

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ରାଜ୍ୟରେ ଶନିବାର ୨୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ୨୨୫ ଜଣଙ୍କୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୯୬ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୯ ଲୋକାଲ କେସ୍‌ ରହିଛି। ତେବେ ଚିହ୍ନଟ ୨୨୫ ନୂଆ ଆକ୍ରାନ୍ତ ୧୬ଟି ଜିଲାର। ଏମାନଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୯୨ ଜଣ ରହିଛନ୍ତି। ସେହିପରି ଗଞ୍ଜାମରୁ ୨୦, ଖୋର୍ଦ୍ଧା ୧୯, କନ୍ଧମାଳ ୧୫, ପୁରୀ ୧୫, ଜଗତ୍‌ସିଂହପୁର ୧୩, ବଲାଙ୍ଗୀର ୧୨, ମୟୂରଭଞ୍ଜ ୯, ନୟାଗଡ଼ ଓ ଢେଙ୍କାନାଳରୁ ୭ଜଣ ଲେଖାଏ, ଭଦ୍ରକ ୫, କେନ୍ଦ୍ରାପଡ଼ା ୪, କଳାହାଣ୍ଡି ୩, ବଲେଶ୍ୱର ୨, ଅନୁଗୋଳ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩,୭୨୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୩୬ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୨୪୭୪ ଜଣ ସୁସ୍ଥ ହୋଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ଘଟିଛି।