କରୋନାର ଦ୍ୱିତୀୟ ଲହରରେ ଜନ୍ମ ନେଇଛନ୍ତି ଦୁଇଗୁଣା ଅପରିପକ୍ୱ ଶିଶୁ!

ନୂଆଦିଲ୍ଲୀ,୧୯ ।୭: କରୋନା ମହାମାରୀ ସାରା ବିଶ୍ୱର ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିବା ବେଳେ ଏହା ଅନେକ ଅସ୍ୱାଭାବିକ ପରିସ୍ଥିତି ବି ସୃଷ୍ଟି କରିଛି । ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୧ରେ ଆସିଥିବା କରୋନାର ଦ୍ୱିତୀୟ ଲହରରେ ଦୁଇ ଗୁଣାରୁ ଅଧିକ ଅପରିପକ୍ୱ ଶିଶୁ ଜନ୍ମ ନେଇଛନ୍ତି । ଏହା ଫଳରେ ଶିଶୁଙ୍କ ଉପରେ ଅଧିକ ପ୍ରତିକୂଳ ପ୍ରଭାବ ପଡିଛି । ଦ୍ୱିତୀୟ ଲହରରେ ଜନ୍ମିତ ପ୍ରତି ୫ ଜଣରେ ଜଣେ ଶିଶୁକୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡିଛି । ଏହାଫଳରେ ଶିଶୁଙ୍କ ମୃତ୍ୟୁ ହାର ବି ୨.୩୦ ପ୍ରତିଶତ ହୋଇଛି ।
ମେଡିକାଲ ଜର୍ନାଲ ସ୍ପ୍ରିଙ୍ଗରରେ ପ୍ରକାଶିତ ଅଧ୍ୟୟନରେ ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମଆର) ଓ ରାଷ୍ଟ୍ରୀୟ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଅନୁସନ୍ଧାନ ସଂସ୍ଥା(ଏନଆଇଆରଆରସିଏଚ)ର ବିଶେଷଜ୍ଞମାନେ କରୋନା ସଂକ୍ରମିତ ମାତାଙ୍କ ଠାରୁ ଜନ୍ମିତ ୨୫୨୪ ନବଜାତ ଶିଶୁଙ୍କ ଚିକିତ୍ସା ତଥ୍ୟକୁ ଯାଞ୍ଚ କରି ଏହା କହିଛନ୍ତି ।
ଏଥିରୁ ଜଣାପଡିଛି କରୋନା ମହାମାରୀର ପ୍ରଥମ ଲହରରେ ୭.୮ ପ୍ରତିଶତ ସଂକ୍ରମିତ ମାତାଙ୍କର ସମୟ ପୂର୍ବରୁ ପ୍ରସବ କରାଇଦିଆଯାଇଛି । ହେଲେ ଦ୍ୱିତୀୟ ଲହରରେ ଏହି ସଂଖ୍ୟା ୧୫ ପ୍ରତିଶତର ଅଧିକ ହୋଇଛି । ଏହାଦ୍ୱାରା ନବଜାତ ଶିଶୁଙ୍କ ଆଇସିୟୁ ଚିକିତ୍ସା ୧୪ରୁ ବୃଦ୍ଧି ପାଇ ୧୯ ପ୍ରତିଶତରେ ପହଞ୍ଚିଛି । ସେହିପରି ମୃତ୍ୟୁ ହାର ୨.୧ରୁ ବୃଦ୍ଧି ହୋଇ ୨.୩୦ ପ୍ରତିଶତ ହୋଇଛି ।

Share