ଆସନ୍ତା ୧୦ରୁ ୧୫ଦିନ ମଧ୍ୟରେ ଶୀର୍ଷରେ ପହଞ୍ଚିବ କରୋନା: ରିପୋର୍ଟ

ନୂଆଦିଲ୍ଲୀ,୪।୫: ଭାରତରେ କରୋନା ଭାଇରସର ନୂତନ ଏକ୍ସଇ ଭାରିଆଣ୍ଟର ବର୍ଦ୍ଧିତ ମାମଲା ଏବେ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ବିଶେଷକରି ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ମାମଲାକୁ ଦେଖିଲେ ପରିସ୍ଥିତି ଆହୁରି ଚିନ୍ତାଜନକ ହୋଇପଡ଼ିଛି। ଗତ କିଛି ଦିନରୁ ଦିଲ୍ଲୀରେ କରୋନା ଗ୍ରାଫ୍‌ ଉପରମୁହାଁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ବଡ଼ ବଡ଼ ହସ୍ପିଟାଲଗୁଡ଼ିକର ଡାକ୍ତରମାନେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ରାଜଧାନୀରେ କରୋନା ମାମଲା ଶୀର୍ଷରେ ପହଞ୍ଚିବ। କିନ୍ତୁ ଏହାର କିଛି ସମୟ ପରେ ପୁଣି ସଂକ୍ରମଣ ହ୍ରାସ ପାଇବାକୁ ଆରମ୍ଭ କରିବ ବୋଲି ଡାକ୍ତର କହିଛନ୍ତି। ସୂଚନାଯୋଗ୍ୟ, ଗତ ଦୁଇ ସପ୍ତାହ ଧରି ଦିଲ୍ଲୀରେ ଦୈନିକ ସଂକ୍ରମଣ ୧ହଜାରରୁ ଅଧିକ ମାମଲା ଚିହ୍ନଟ ହେଉଛି। ସୋମବାର ଦେଶର ସର୍ବୋଚ୍ଚ ଡାକ୍ତରୀ ଅନୁସନ୍ଧାନ ସଂସ୍ଥା ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ, ଦେଶରେ କରୋନାର ବର୍ଦ୍ଧିତ ମାମଲାକୁ ଚତୁର୍ଥ ଲହର ଅପେକ୍ଷା ଲୋକାଲ ଟ୍ରେଣ୍ଡ ଭାବେ ଦେଖାଯିବା ଉଚିତ। କାରଣ ଦିଲ୍ଲୀରେ ଯେତିକି ସଂଖ୍ୟାରେ କରୋନା ମାମଲା ଚିହ୍ନଟ ହେବାର ଆଶଙ୍କା କରାଯାଉଥିଲା, ତା’ଅପେକ୍ଷା କମ୍‌ ରହିଛି। କାରଣ ଟେଷ୍ଟିଂ କମିଯିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି ବୋଲି ଡାକ୍ତରମାନେ କହିଛନ୍ତି।

Share