Categories: ଜାତୀୟ

ଲକ୍‌ଡାଉନ୍‌ ଯୋଗୁ ବ୍ୟବସାୟ ପ୍ରଭାବିତ, ଏମିତି ପଦକ୍ଷେପ ନେଲେ ଚା’ ଦୋକାନୀ

କୋଲକତା,୧।୯: ପଶ୍ଚିମବଙ୍ଗର ସିଲଗୁଡିରେ ଏକ ଅଭାବନୀୟ ଘଟଣା ଘଟିଛି। ଏନଜେପି ରେଳ ଷ୍ଟେଶନ ପାଖରେ ଜଣେ ଚା’ ଦୋକାନୀ ନିଜକୁ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ଚା’ ଦୋକାନୀଙ୍କ ନାମ ରାଜୁ ବୋଲି ଜଣାପଡିଛି। ସେ ଏନ୍‌ଜେପି ରେଳ ଷ୍ଟେସନରେ ଚା ବିକ୍ରି କରୁଥିଲେ। କିନ୍ତୁ ଗତ କିଛି ମାସ ହେବ ଲକ୍‌ଡାଉନ୍‌ ଯୋଗୁ ଦୋକାନ ବନ୍ଦ ହେବା ସହ ଟ୍ରେନ ଚଳାଚଳ ମଧ୍ୟ ବନ୍ଦ ରହିଛି। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ସକାଳ ପ୍ରାୟ ୯ଟା ସମୟରେ ଚା ବିକ୍ରେତା ରାଜୁ ତାଙ୍କ ଚା’ କେଟିଲ ସହିତ ଷ୍ଟେଶନରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ଷ୍ଟେଶନର ମୁଖ୍ୟ ପ୍ରବେଶ ପଥରେ ସେ ନିଜ ଶରୀରରେ କିରୋସିନ ତେଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହି ଦୃଶ୍ୟ ଦେଖି ଷ୍ଟେଶନରେ ଉପସ୍ଥିତ କିଛି ଲୋକ ଭୟଭୀତ ହୋଇ ଦୌଡ଼ି ପଳାଇବାକୁ ଲାଗିଥିଲେ। କିନ୍ତୁ ଷ୍ଟେସନ ପରିସରରେ ଉପସ୍ଥିତ ଟ୍ରେନ ଡ୍ରାଇଭର ଏହି ଘଟଣା ବିଷୟରେ ଜାଣିବା ମାତ୍ରେ ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଏଥିସହ ଆମ୍ବୁଲାନ୍ସ ଏବଂ ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ। ଘଟଣାର ଖବର ପାଇବା ମାତ୍ରେ ଆମ୍ବୁଲାନ୍ତ ଘଟଣାସ୍ଥଳରେ ପହଞ୍ଚି ରାଜୁଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଷ୍ଟେଶନ ପରିସରରେ ଉପସ୍ଥିତ ଡ୍ରାଇଭରମାନେ କହିଛନ୍ତି ଯେ ଦୀର୍ଘ ଦିନ ଧରି ସେମାନେ ରାଜୁଙ୍କୁ ଷ୍ଟେଶନ ଭିତରେ ଚା’ ବିକ୍ରି କରୁଥିବା ଦେଖୁଥିଲେ। କିନ୍ତୁ ବର୍ତ୍ତମାନର ଲକ୍‌ଡାଉନ ସମୟରେ ଟ୍ରେନ ସେବା ବନ୍ଦ ରହିଛି। ଯାତ୍ରୀମାନେ ବାହାରୁ ଆସୁନାହାନ୍ତି। ଏହି କାରଣରୁ ରାଜୁଙ୍କ ଚା ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି। ପୋଲିସ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Share