ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କରୋନା ସଂକ୍ରମଣ

ପାଟନା, ୭।୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାସଭବନରେ କରୋନା ସଂକ୍ରମଣ ହୋଇଛି। ନୀତୀଶଙ୍କ ପୁତୁରାଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ତାଙ୍କୁ ଚିକିତ୍ସା ଲାଗି ପାଟନା ଏମ୍ସ୍‌ରେ ଭର୍ତ୍ତି କରାଯାଇଛି। ନୀତୀଶଙ୍କ ଘରର ସମସ୍ତ ସଦସ୍ୟଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସେମାନଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସାନିଟାଇଜ୍‌ କରାଯାଇଥିବା କୁହାଯାଉଛି। ନୀତୀଶ ଜୁଲାଇ ୪ରେ ନମୁନା ପରୀକ୍ଷା କରିଥିଲେ। ତାଙ୍କ ରିପୋର୍ଟ କରୋନା ନେଗେଟିଭ୍‌ ଆସିଥିଲା। ବିଧାନ ପରିଷଦର କାର୍ଯ୍ୟକାରୀ ସଭାପତି ଅବଧେଶ ନାରାୟଣ ସିଂଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ କିଛି ଦନ ତଳେ ୯ ଜଣ ଏମ୍‌ଏଲ୍‌ସିଙ୍କୁ ଶପଥ ପାଠ କରାଇଥିଲେ। ସେମାନଙ୍କ ମଧ୍ୟରୁ ଏମ୍‌ଏଲ୍‌ସି ଗୁଲାମ ଗୌସ୍‌ ଏବଂ ତାଙ୍କ ସ୍ତ୍ରୀଙ୍କ ନମୁନା ପରୀକ୍ଷା ରିପୋର୍ଟ ମଧ୍ୟ କରୋନା ପଜିଟିଭ୍‌ ଆସିଛି।

Share