ଆମେରିକା, ବ୍ରାଜିଲ୍‌କୁ ପଛରେ ପକାଇଲା ଭାରତ: ଗୋଟିଏ ଦିନରେ ସର୍ବାଧିକ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ, ୩।୮: ଭାରତରେ କରୋନା ମାମଲା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ମହାରାଷ୍ଟ୍ର, ଦିଲ୍ଲୀ ପରେ ବିହାର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣର ଗତି ଦିନକୁ ଦିନ ବଢ଼ିବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟାରେ ୫୨,୯୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ୭୭୧ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ସର୍ବାଧିକ ମାମଲାରେ ଭାରତ ଆମେରିକା ଓ ବ୍ରାଜିଲକୁ ପଛରେ ପକାଇଦେଇଛି। କାରଣ ଆମେରିକାରେ ଗତ ୨୪ ଘଣ୍ଟାରେ ୪୭ହଜାରରୁ ଉର୍ଦ୍ଧ୍ୱ ଓ ବ୍ରାଜିଲରେ ୨୫ହଜାରରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚାଯୋଗ୍ୟ, ନୂଆ ଚିହ୍ନଟଙ୍କୁ ମିଶାଇ ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ଲକ୍ଷ ୩ହଜାର ୬୯୬ରେ ପହଞ୍ଚିଛି। ସେଥିମଧ୍ୟରୁ ୧୨ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୩୮ହଜାର ୧୩୫ ଲୋକଙ୍କ ମୃତ୍ୟୁ ଘଟିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣାପଡ଼ିଛି। ଅନ୍ୟପଟେ ଆମେରିକାରେ ଗତ ୨୪ ଘଣ୍ଟାରେ ୪୭,୫୧୧ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮ଲକ୍ଷ ପାର କରିସାରିଛି। ସେଥିମଧ୍ୟରୁ ୨୩ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୨ଲକ୍ଷରୁ ଊର୍ଦ୍ଧ୍ୱ ଚିକିତ୍ସାଧିନ ରହିଛନ୍ତି। ଏଥିସହ କରୋନାଜନିତ ୧ଲକ୍ଷ ୫୮ହଜାର ୩୬୫ ଲୋକଙ୍କ ମୃତ୍ୟୁ ଘଟିସାରିଛି। ସେହିପରି ବ୍ରାଜିଲ୍‌ରେ ଗତ ୨୪ ଘଣ୍ଟାରେ ୨୫,୮୦୦ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ଲକ୍ଷରୁ ଊର୍ଦ୍ଧ୍ୱରେ ପହଞ୍ଚିଛି। ଯେଉଁଥିରେ ପାଖାପାଖି ୧୯ଲକ୍ଷ ଲୋକ ସୁସ୍ଥ, ୭ଲକ୍ଷ ୫୫ହଜାରରୁ ଊର୍ଦ୍ଧ୍ୱ ଚିକିତ୍ସାଧିନ ଓ ୯୪ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି।

Share