କରୋନା ସହିତ ଲଢ଼ିବ ନିମ୍ବ, ଭାରତରେ କରାଯାଉଛି ଏହାର ପରୀକ୍ଷା

କରୋନା ସମଗ୍ର ବିଶ୍ୱରେ ତା’ର କାୟା ବିସ୍ତାର କରିଛି। ଭାରତ ସମେତ ବିଶ୍ୱ ବ୍ୟାପୀ ଏହାର ସମାଧାନ ଖୋଜା ଯାଉଛି। ଅନେକ ଦେଶ ମଧ୍ୟ ଏହାର ଟିକା ଉପରେ ଗବେଷଣା ଜାରି ରଖିଛନ୍ତି। ରୁଷିଆ ଏହାର ଟିକା ମଧ୍ୟ ବାହାରି କରିଥିବା ଦାବି କରୁଛି। ଏହି ସମୟରେ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆୟୁର୍ବେଦ (AIIA) ନିସର୍ଗ ହର୍ବସ ନାମକ କମ୍ପାନୀ ସହିତ ଏକ ଚୁକ୍ତି କରିଛି। ଯେଉଁଥିରେ କରୋନା ସହିତ ଲଢ଼ିବାରେ ନିମ୍ବ କେତେ ପ୍ରଭାବଶାଳୀ ତାହା ପରୀକ୍ଷା କରାଯିବ। ଏହି ପରୀକ୍ଷା ଫରିଦାବାଦର ଇଏସ୍‌ଆଇସି(ESIC) ହସ୍ପିଟାଲରେ କରାଯାଉଛି।

ଏହି ପରୀକ୍ଷା ଅଗଷ୍ଟ ୭ରୁ ଫରିଦାବାଦର ଏସ୍‌ଆଇସି ହସ୍ପିଟାଲରେ ଆରମ୍ଭ ହୋଇଛି। ଆୟୁର୍ବେଦର ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଡକ୍ଟର ତନୁଜା ନେସାରୀଙ୍କ ନେତୃତ୍ୱରେ ଚାଲିଥିବା ଅନୁସନ୍ଧାନରେ ୬ ଅନୁସନ୍ଧାନକାରୀ ଟିମ୍‌ ସାମିଲ ଅଛନ୍ତି।

ଡକ୍ଟର ତନୁଜା ନେସାରୀଙ୍କ ସହିତ ଇଏସ୍‌ଆଇସି ହସ୍ପିଟାଲର ଡିନ୍‌ ଆସିମ ସେନ ମଧ୍ୟ ଅଛନ୍ତି। ସଂକ୍ରମଣ ରୋକିବାରେ ନିମ୍ବ ଉପାଦାନ କେତେ ପ୍ରଭାବଶାଳୀ ତାହା ଏହି ଟିମ୍‌ ୨୫୦ ଜଣଙ୍କ ଉପରେ ପରୀକ୍ଷା କରୁଛି।

ଏହି ଗବେଷଣାରେ ମୁଖ୍ୟତଃ ଦେଖାଯାଉଛି ଯେ, ନିମ୍ବ କ୍ୟାପସୁଲ କରୋନା ରୋଗୀଙ୍କୁ କେତେ ଉପକାର ଦେବ। ଯେଉଁମାନଙ୍କ ଉପରେ ଏହି କ୍ୟାପସୁଲ ପରୀକ୍ଷା କରାଯିବ ସେମାନଙ୍କ ଚୟନ ଆରମ୍ଭ ହୋଇଛି।

ଏହି ପ୍ରକ୍ରିୟାରେ ୧୨୫ ଜଣଙ୍କୁ ନିମ୍ବ କ୍ୟାପସୁଲ ଦିଆଯିବ। ଆଉ ୧୨୫ ଜଣଙ୍କୁ ଖାଲି କ୍ୟାପସୁଲ ଖାଇବାକୁ ଦିଆଯିବ। ଏହି ପ୍ରକ୍ରିୟା ୨୮ ଦିନ ପର୍ଯ୍ୟନ୍ତ ଚାଲିବ। ଏହା ପରେ ରୋଗୀମାନଙ୍କୁ ୨୮ ଦିନ ଯାଞ୍ଚ କରାଯିବ। ଏହା ପରେ ଓଷଧର ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିବ।