କବାଟର ହ୍ୟାଣ୍ଡେଲ ଛୁଇଁଲେ ଅବା ବଟନ ଦବାଇଲେ ହେବନାହିଁ କରୋନା!

ୱାଶିଂଟନ,୬ ।୧୦: କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ପୂର୍ବରୁ କୁହାଯାଉଥିଲା ଯେ କୌଣସି ସ୍ଥାନକୁ ଅବା ବସ୍ତୁକୁ ଛୁଇଁବା ପରେ ପ୍ରଥମେ ହାତକୁ ସାନିଟାଇଜ କରିବା ଦରକାର । ନଚେତ୍ କରୋନା ସଂକ୍ରମଣ ଭୟ ରହିଛି । ହେଲେ ଏବେ କାଲିଫର୍ନିଆ ୟୁନିଭର୍ସିଟିର ଏକ ଗବେଷଣା କହିଛି କବାଟର ହ୍ୟାଣ୍ଡେଲ ଛୁଇଁଲେ ଅବା ବଟନ ଦବାଇଲେ କରୋନା ସଂକ୍ରମଣ ଆଶଙ୍କା କମ୍ ରହିଥାଏ । ଏବେ ଅନ୍‌ଲକରେ ସବୁ ଖୋଲିଯାଇଥିବା ବେଳେ ଲୋକେ ଅଧିକ ଭୟଭୀତ ଥିଲେ । ଏହାସହ ବିଶେଷ ଭାବେ ମେଟ୍ରୋରେ ଯାତାୟତ କରୁଥିବା ଲୋକ ସବୁବେଳେ ଶଙ୍କା ଭିତରେ ରହୁଥିଲେ । ହେଲେ ଏହି ଗବେଷଣା କହିଛି ମେଟ୍ରୋର ଡୋର ଖୋଲିଲେ ବା ବଟନ ଦବାଇଲେ କରୋନା ଆଶଙ୍କା କମ୍ ରହିଛି । ଗବେଷଣାରେ କୁହାଯାଇଛି ଯେ ପ୍ରକୃତରେ ବସ୍ତୁକୁ ଛୁଇଁବା ଦ୍ୱାରା ଯେଉଁ କରୋନା ସଂକ୍ରମଣ ହେଉଥିଲା ତାହା ଏବେ ଆଉ ନାହିଁ । ଏହାସହ କୌଣସି ବାହ୍ୟ ଭାଗରେ ଉପସ୍ଥିତ କରୋନା ଭାଇରସ ସଂକ୍ରମଣ ହେଲେବି ଏହା ଏତେ ଜଟିଳ ନୁହେଁ ବୋଲି କୁହାଯାଇଛି । ଏହି ଗବେଷଣା ମାଧ୍ୟମରେ ଆହୁରି କୁହାଯାଇଛି କି କୌଣସି ବସ୍ତୁକୁ ନ ଛୁଇଁବା ଅବା ହାତ ଧୋଇବା କେବଳ କରୋନା ଭାଇରସକୁ ଦୂରେଇବ ତା’ ନୁହେଁ । ବରଂ ସୋସିଆଲ ଡିଷ୍ଟାନସିଂ ଓ ମାସ୍କ ପିନ୍ଧିବା ଦ୍ୱାରା କରୋନାକୁ ଅନେକାଂଶରେ ଏଡାଇ ଦେଇହେବ । ଏହାସହ ବାରମ୍ବାର ଶରୀରରେ ବ୍ୟାକ୍ଟେରିଆ ନିରୋଧି ସ୍ପ୍ରେ କରିବା ବି ଉଚିତ୍ ନୁହେଁ । ତେବେ ସବୁଠାରୁ ବିପଦପୂର୍ଣ୍ଣ ହେଉଛି ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା । ଏହାଦ୍ୱାରା ଜଣେ ସଂକ୍ରମିତ ହେଲେ ଜୀବନ ଯିବାର ଭୟ ରହିଛି ।

Share