କରୋନା ଯୋଗୁ ପିଲାଙ୍କୁ ଡାଇବେଟିସ୍‌ର ଆଶଙ୍କା ଅଧିକ: ବିଶେଷଜ୍ଞ

ଲଣ୍ଡନ,୧୮।୮: ସାରା ବିଶ୍ୱରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। ଏଥିରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀ, ସେଲିବ୍ରିଟି ସମସ୍ତେ ଏବେ କରୋନା କବଳରେ। ଏଥିରେ ଶିଶୁ ଓ ବୃଦ୍ଧମାନେ ବେଶି ମାତ୍ରାରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ପିଲାମାନେ ଟାଇପ୍‌-୧ ଡାଇବେଟିସର ଶୀକାର ହୋଇପାରନ୍ତି ବୋଲି ବୈଜ୍ଞାନିକମାନେ ଚେତାବନି ଦେଇଛନ୍ତି। ଲଣ୍ଡନର ଇମ୍ପୋରିଆଲ କଲେଜର ବିଶେଷଜ୍ଞମାନେ ସମସ୍ତ ଅଭିଭାବକଙ୍କୁ ପିଲାଙ୍କ ଡାଇବେଟିସ୍‌ ଲକ୍ଷଣ ଉପରେ ନଜର ରଖିବାକୁ ନିବେଦନ କରିଛନ୍ତି। ଯଦି ଶିଶୁଙ୍କୁ ଥକ୍କାପଣ, ଡିହାଇଡ୍ରେସନ୍‌, ବାରମ୍ବାର ପରିସ୍ରା ଲାଗିବା ଓ ଓଜନ ହ୍ରାସ ହେବା ଭଳି ଲକ୍ଷଣ ଦେଖାଯାଉଛି। ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ବ୍ରିଟିଶ ଟେଲିଗ୍ରାଫ୍‌ ଅନୁସାରେ କରୋନା ସଂକ୍ରମିତଙ୍କ ମଧ୍ୟରୁ କେତେକାଂଶ ଶିଶୁଙ୍କ ନିକଟରେ ଗୁରୁତର ଲକ୍ଷଣ ଦେଖାଯାଉଛି। ଯଦି ଟାଇପ୍‌-୧ ଡାଇବେଟିସ୍‌ ଶୀକାର ହେଉଛନ୍ତି ତେବେ ସେମାନଙ୍କୁ ଠିକ୍‌ ସମୟରେ ଚିକିତ୍ସା ନ କଲେ ଏହା ବିପଜ୍ଜନକ ହୋଇପାରେ। ସୂଚନା ମୁତାବକ ବ୍ରିଟେନରେ ୪ଟି ହସ୍ପିଟାଲରେ ଲକ୍‌ଡାଉନ ଆରମ୍ଭ ହେବା ପରେ ଟାଇପ୍‌-୧ ଡାଇବେଟିସ୍‌ ଥିବା ପ୍ରାୟ ୩୦ଜଣ ଶିଶୁ ଚିକିତ୍ସା ପାଇଁ ଆସିଥିଲେ। ସେହିପରି ୨ଟି ହସ୍ପିଟାଲ ଏଭଳି ଅଛି ଯେଉଁଠାରୁ ୧୦ଟି ସମାନ ମାମଲା ଆସିଛି। ଏହି ରୋଗର ଶୀକାର ହୋଇଥିବା ପିଲାଙ୍କ ମଧ୍ୟରୁ ୭୨ପ୍ରତିଶତଙ୍କଠାରେ ଗୁରୁତର ଲକ୍ଷଣ ଦେଖାଯିବା ସହ ସେମାନଙ୍କ ଶରୀରରେ ଇନ୍‌ସୁଲିନର ଅଭାବ ଦେଖାଦେଇଥିଲା। କରୋନା ଭାଇରସ୍‌ ସ୍ପାଇକ୍‌ ପ୍ରୋଟିନ୍‌ ଇନ୍‌ସୁଲିନ ସୃଷ୍ଟି କରୁଥିବା କୋଷଗୁଡ଼ିକୁ ନଷ୍ଟ କରିଦେଇଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯେତେବେଳେ ମହାମାରୀ ଶୀର୍ଷ ସ୍ତରରେ ଥିଲା ସେତେବେଳେ ଟାଇପ୍‌-୧ ଡାଇବେଟିସ୍‌ ମାମଲା ଯଥେଷ୍ଟ ବୃଦ୍ଧି ପାଇଥିଲା। କରୋନା ଭାଇରସ୍‌ ଓ ଟାଇପ୍‌-୧ ଡାଇବେଟିସ୍‌ ମଧ୍ୟରେ ସମ୍ପର୍କ ରହିଛି। ହେଲେ ଏହା ଉପରେ ଏବେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ବୋଲି ଗବେଷଣାର ମୁଖ୍ୟ ଡା. କରେନ ଲୋଗାନ କହିଛନ୍ତି।

Share