କରୋନା ଆରୋଗ୍ୟ ହାର ୭୦% ଟପିଲା

ନୂଆଦିଲ୍ଲୀ, ୧୩।୮(ପି.ଟି.): ଭାରତରେ କରୋନା ଆରୋଗ୍ୟ ହାର ୭୦ ପ୍ରତିଶତ ଅତିକ୍ରମ କରିଛି। ବୁଧବାର ସୁଦ୍ଧା ୧୬,୩୯,୫୯୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଲେଣି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭.୬୪ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି କରୋନାଜନିତ ମୃତ୍ୟୁହାର ମଧ୍ୟ ୧.୯୮ ପ୍ରତିଶତକୁ ହ୍ରାସ ପାଇଛି। ଉପଯୁକ୍ତ କଣ୍ଟେନମେଣ୍ଟ ନୀତି, ବ୍ୟାପକ ପରୀକ୍ଷା ଓ ଉନ୍ନତ ଚିକିତ୍ସା ପରିଚାଳନା ଯୋଗୁ ଗୋଟିଏ ଦିନରେ ୫୬,୧୧୦ ଜଣ ସୁସ୍ଥ ହୋଇଛନ୍ତି। କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କର ସମନ୍ବିତ ଉଦ୍ୟମ ଯୋଗୁ ଆରୋଗ୍ୟ ହାର ବଢ଼ିଚାଲିଛି। ଜୁଲାଇ ପ୍ରଥମ ସପ୍ତାହରେ ଦୈନିକ ଆରୋଗ୍ୟ ହାର ୧୫,୦୦୦ ଥିବାବେଳେ ଅଗଷ୍ଟ ପ୍ରଥମ ସପ୍ତାହରେ ତାହା ୫୦ ହଜାରରୁ ଅଧିକ ହୋଇଛି। ବୁଧବାର ସୁଦ୍ଧା ଦେଶରେ ଆରୋଗ୍ୟ ହାର ୭୦.୩୮ରେ ପହଞ୍ଚତ୍ଥିବାବେଳେ ବିଭିନ୍ନ ହସ୍ପିଟାଲରେ ୬,୪୩,୯୪୮ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ମଙ୍ଗଳବାର ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୭,୩୩,୪୪୯ ଜଣଙ୍କର କୋଭିଡ୍‌ ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ମୋଟ ୨.୬ କୋଟିରୁ ଅଧିକ ନମୁନା ପରୀକ୍ଷା କରାଗଲାଣି। ଅର୍ଥାତ୍‌ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ପରୀକ୍ଷା ସଂଖ୍ୟା ୧୮,୮୫୨କୁ ବୃ୍‌ଦ୍ଧି ପାଇଛି। କରୋନା ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୬୦,୯୬୩ ଜଣଙ୍କୁ ଆକ୍ରାନ୍ତ କରିଛି। ଏଥିସହ ଦେଶରେ ମୋଟ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୨୩.୭୦ ଲକ୍ଷକୁ ବୃଦ୍ଧିପାଇଛି। ଭାରତରେ ଏପର୍ଯ୍ୟନ୍ତ ୪୬,୬୭୦ ଲୋକଙ୍କ ଜୀବନ ଗଲାଣି। ବୁଧବାର ୮୩୪ ଲୋକ ପ୍ରାଣ ହରାଇଛନ୍ତି।

Share