କରୋନାର ସଙ୍ଗିନ ସ୍ଥିତି : ଝାରସୁଗୁଡ଼ା ଜିଲାର ୧୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଝାରସୁଗୁଡ଼ା ଅଫିସ, ୪।୪: ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଝାରସୁଗୁଡ଼ା ଜିଲାରେ ଏହାର ପ୍ରଭାବ ଦେଖାଦେଇଛି । ଶନିବାର ଜିଲାରେ ୧୭ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ୭୮ରେ ପହଞ୍ଚିଛି । ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଲାର ୧୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏଥି ମଧ୍ୟରେ ରହିଛି ଝାରସୁଗୁଡା ସହରର ବେହେରାମାଳର , ସରବାହାଳ ୨ଟି ସ୍ଥାନ, ଝଣ୍ଡାଛକ, ବମ୍ବେଛକ, ରେଲୱ କଲୋନୀର ୨ଟି ସ୍ଥାନ, କବରସ୍ତାନପଡା, କର୍ମିରା ବ୍ଲକ ଅଞ୍ଚଳର ମାଲୁଆପଡା, ନକ୍ସାପାଲି, ଅର୍ଡା, ଲଖନପୁର ବ୍ଲକର ପିପିଲିମାଲ ରହିଛି । ଏହି ଅଞ୍ଚଳର ଲୋକେ ବାହାରକୁ ନ ବାହାରି ଘରେ ରହି ନିୟମକୁ ଅନୁପାଳନ କରିବେ । ଯାନବାହନ ଚଳାଚଳକୁ ନିଷିଦ୍ଧ କରାଯାଇଛି । କରୋନା ପଜିଟିଭଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।