କରୋନା ବୃଦ୍ଧି କରିପାରେ କିଡ୍‌ନୀ ସଂକ୍ରମଣ

କୋଭିଡ୍‌-୧୯ର ଭୟାବହତା ଏବେ ମଧ୍ୟ ଦୂର ହୋଇନାହିଁ। ସାର୍‌ସ-କୋଭ୍‌-୨ ପରେ ଏବେ ଓମିକ୍ରନ୍‌ ଭ୍ୟାରିୟାଣ୍ଟ ପୁଣି ଥରେ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। କୋଭିଡ୍‌କୁ ନେଇ ଏକ ନୂଆ ତଥ୍ୟ ନିକଟରେ ଲୋକଲୋଚନକୁ ଆସିଛି। ଏହାଦ୍ୱାରା ଆକ୍ରାନ୍ତ ହେଲେ କିଡ୍‌ନୀ ସଂକ୍ରମଣ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ୟୁନିଭରସିଟି ଅଫ୍‌ ଓ୍ବାଶିଂଟନ୍‌ ସ୍କୁଲ୍‌ ଅଫ୍‌ ମେଡିସିନ୍‌ ତରଫରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ସେମାନଙ୍କ ଦ୍ୱାରା ହୋଇଥିବା ଏହି ସର୍ଭେରୁ ଜଣାପଡିଛି ଯେ, କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥିବା ପ୍ରାୟ ୨୫ ପ୍ରତିଶତ ଲୋକଙ୍କର ଗୁରୁତର କିଡ୍‌ନୀ ସମସ୍ୟା ଦେଖାଦେଇଛି। ଏପରି କି କେତେକଙ୍କର କିଡ୍‌ନୀ ନଷ୍ଟ ହୋଇଛି। କରୋନା ଦ୍ୱାରା ଆକ୍ରାନ୍ତ ହେବା ପରେ ଇମ୍ୟୁନୋ ସିଷ୍ଟମ୍‌ରୁ କ୍ଷରିତ ହେଉଥିବା ଇନ୍‌ଫ୍ଲାମେଟୋରି ପ୍ରୋଟିନ୍‌ ଏବଂ ସାଟୋକାଇନିନ ଏହି ଭାଇରସ୍‌ ସଂସ୍ପର୍ଶରେ ଆସି ଶରୀରରେ ଥିବା ଟିସୁ ଏବଂ ଅଙ୍ଗପ୍ରତ୍ୟଙ୍ଗକୁ ନଷ୍ଟ କରିଦିଏ। କିଡ୍‌ନୀରେ ଥିବା ୧୧ ପ୍ରକାର ସେଲ୍‌ରୁ ଯଦି ଗୋଟିଏ ପ୍ରକାର ସେଲ୍‌ ବାହ୍ୟ ଜୀବାଣୁ ବା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୁଏ, ତେବେ ଏହା କିଡ୍‌ନୀର କାର୍ଯ୍ୟଧାରାକୁ ପ୍ରଭାବିତ କରିଥାଏ। ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିର ଯଦି କିଡ୍‌ନୀ ଯଦି ଖରାପ ହୁଏ, ତେବେ ଏହା ଭଲ ହେବାର ଆଶଙ୍କା ଖୁବ୍‌ କମ୍‌ ରହିଥାଏ। ଏଥିପାଇଁ ଏପରି ସମସ୍ୟାରୁ ରକ୍ଷା କରିବା ପାଇଁ ଗବେଷଣା ଚାଲିଛି ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଏଥିରୁ ରକ୍ଷା ପାଇବା ପାଇଁ ହେଲେ ସତର୍କତା ଅବଲମ୍ବନ କରିବା ସହ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରିବା ପାଇଁ ଗବେଷକମାନେ ପରାମର୍ଶ ଦେଇଛନ୍ତି।