କରୋନାରେ ସଂକ୍ରମିତ ହେଲେଣି ୬୧ ହଜାର ଯବାନ

ନୂଆଦିଲ୍ଲୀ,୨୮।୮: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବା ବେଳେ ଏବେ ଦିନକୁ ୭୦ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଲକ୍‌ଡାଉନ ନିୟମରେ କୋହଳ କରାଯିବା ପରେ ବେଳକୁ ବେଳ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏବେ ଏହି ମହାମାରୀ କବଳରେ ପଡିଲେଣି ବହୁ ସଂଖ୍ୟାରେ କରୋନା ଯୋଦ୍ଧା। ଏମାନଙ୍କ ମଧ୍ୟରେ ଲୋକଙ୍କ ସୁରକ୍ଷାରେ ନିୟୋଜିତ ଥିବା ପୋଲିସ କର୍ମୀଙ୍କଠାରୁ ଆରମ୍ଭ କରି ଦେଶର ସୀମାକୁ ଜଗି ରହିଥିବା ଯବାନ। ନିକଟରେ ଇଣ୍ଡିଆନ ପୋଲିସ ଫାଉଣ୍ଡେଶନ ଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟ ସମସ୍ତଙ୍କୁ ଚମକାଇ ଦେଇଛି। ଏହି ରିପୋର୍ଟ ଅନୁଯାୟୀ, ଦେଶରେ ୩୦ ଲକ୍ଷରୁ ଅଧିକ ପୋଲିସ ଓ ଯବାନ ନିୟୋଜିତ ଥିବା ବେଳେ ଏମାନଙ୍କ ମଧ୍ୟରୁ ପ୍ରାୟ ୬୧,୯୩୫ ଜଣ ଏବେସୁଦ୍ଧା କରୋନାରେ ସଂକ୍ରମିତ ହୋଇ ସାରିଲେଣି। ଏହାପରେ ୨୫,୦୧୩ଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିବା ବେଳେ ପାଖାପାଖି ୩୭୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସଂକ୍ରମିତଙ୍କ ମଧ୍ୟରେ ସବୁଠାରୁ ଅଧିକ ସିଆର୍‌ପିଏଫ୍‌ର ଯବାନ ଥିବା ଜଣାପଡିଛି। ଖୁସିକଥା ହେଲା ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କେହିବି ଯବାନ କରୋନାରେ ସଂକ୍ରମିତ ହୋଇ ନ ଥିବା କୁହାଯାଇଛି। ତେବେ ମହାରାଷ୍ଟ୍ରରେ ସର୍ବାଧିକ ଯବାନ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏହା ପଛକୁ ରହିଛି ପଶ୍ଚିମବଙ୍ଗ।

Share