ମହାରାଷ୍ଟ୍ରରେ ଖୋଲିବ ସିନେମା ହଲ୍‌, ମଲ୍ଟିପ୍ଲେକ୍ସ: ସରକାର ଜାରି କଲେ ଗାଇଡ୍‌ଲାଇନ

ମୁମ୍ବାଇ,୪।୧୧: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ପ୍ରକୋପ ଜାରି ରହିଛି। ହେଲେ ସଂକ୍ରମିତଙ୍କ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଏବେ ଅନ୍‌ଲକ୍‌-୬.୦ ଜାରି ରହିଥିବା ବେଳେ ଏହି ସମୟରେ ଲୋକଙ୍କ ଜୀବନ ଜୀବୀକାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର କେତେକ କଟକଣାକୁ କୋହଳ କରିଛନ୍ତି। ଏହି କ୍ରମରେ ମହାରାଷ୍ଟ୍ର ସରକାର ମଧ୍ୟ ଲକ୍‌ଡାଉନ କଟକଣାକୁ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର କଣ୍ଟେନମେଣ୍ଟ ଜୋନ୍‌ ବାହାରେ ସୁଇମିଂ ପୁଲ୍‌, ସିନେମା ହଲ୍‌ ଓ ମଲ୍ଟିପ୍ଲେକ୍ସ ଓ ଯୋଗ କେନ୍ଦ୍ର ପୁଣି ଥରେ ଖୋଲିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବୁଧବାର ରାଜ୍ୟସରକାର କିଛି ଗାଇଡ୍‌ଲାଇନ ଜାରି କରିଛନ୍ତି। ଗାଇଡ୍‌ଲାଇନ ଅନୁସାରେ ସାମାଜିକ ଦୂରତ୍ୱ, ୫୦ ପ୍ରତିଶତ ଲୋକଙ୍କ ଉପସ୍ଥିତି, ମାସ୍କ ପିନ୍ଧିବା ଏବଂ ଆରୋଗ୍ୟ ସେତୁ ଆପ୍‌ ବାଧ୍ୟତାମୂଳକ ରହିବ। ଏଥିସହ ସିନେମା ହଲ୍‌ରେ ଗୋଟିଏ ସିଟ୍‌ ଛାଡ଼ି ଅନ୍ୟ ସିଟ୍‌ରେ ମାତ୍ର ୫୦ ପ୍ରତିଶତ ଦର୍ଶକ ରହିପାରିବେ। ତେବେ ନଭେମ୍ବର ୫ରୁ ଏହି ସବୁ ନିୟମ ଅନୁସାରେ ସିନେମା ହଲ୍‌, ମଲ୍ଟିପ୍ଲେକ୍ସ ଓ ସୁଇମିଂ ପୁଲ ଖୋଲିବାକୁ ରାଜ୍ୟସରକାର ଅନୁମତି ଦେଇଥିବା ଜଣାପଡ଼ିଛି।

Share