ମଞ୍ଜି ପ୍ୟାକେଟରେ କରୋନା ଭୂତାଣୁ: ଲୋକେ ଆତଙ୍କିତ !

ଓ୍ବାଶିଂଟନ, ୪।୮: ଚାଇନା କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିତ୍ବାବେଳେ ଏବେ ଏହାର ପ୍ରତିଟି କାର୍ଯ୍ୟ ସନ୍ଦେହ ଜନକ ରହୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଉଛି। ସମ୍ପ୍ରତି ଚାଇନା ଆମେରିକାକୁ କିଛି ମଞ୍ଜିି ପ୍ୟାକେଟ ପଠାଇଛି। ଏସବୁ ସାଧାରଣ ମଞ୍ଜିଠାରୁ ଭିନ୍ନ ଦେଖାଯାଉଛି। ତେଣୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଆମେରିକାର ୨୨ଟି ପ୍ରଦେଶରେ ଏଭଳି ପ୍ୟାକେଟ୍‌ ଲୋକଙ୍କ ପାଖରେ ପହଞ୍ଚିଛି। କାଳେ ପ୍ୟାକେଟରେ ମଞ୍ଜି ସହିତ କରୋନା ଭୂତାଣୁ ରହିଥିବ ସେନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ସେହିପରି କେତେକଙ୍କ ପାଖକୁ ପନିପରିବା, ଫଳ, ଜଡ଼ି ବୁଟି ଆଦି ପ୍ୟାକେଟ ପହଞ୍ଚିଛି। ସେମାନେ ଅନ୍‌ଲାଇନରେ କୌଣସି ଅର୍ଡର କରି ନ ଥିଲେ ମଧ୍ୟ ଏସବୁ ଅଚାନକ ସେମାନଙ୍କ ପାଖରେ ପହଞ୍ଚିଥିବା ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଖବର ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସ୍‌ରେ ପ୍ରକାଶ ପାଇଥିବା କୁହାଯାଉଛି। ଆମେରିକା ଗୋଇନ୍ଦା ବିଭାଗ ଅନୁସାରେ ପ୍ୟାକେଟରେ ୧୪ ପ୍ରକାର ଚାରା ମଞ୍ଜି ରହିଛି। ପେନ୍‌ ବିଶ୍ୱବିଦ୍ୟାଳୟର ବୃକ୍ଷ ଚାରା ଗବେଷକଙ୍କ ଅନୁସାରେ ହୁଏତ ଚାଇନା ଏହା ମାଧ୍ୟମରେ ଜୈବିକ ଯୁଦ୍ଧର ପ୍ରସ୍ତୁତି କରୁଛି। ଏହି ମଞ୍ଜିକୁ ଲଗାଇବା ହୁଏତ କ୍ଷତିକାରକ ହୋଇପାରେ ବୋଲି ମାସାଚ୍ୟୁସେଟ୍ସର ସଲେମ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଏହା ଦେଶୀ ପ୍ରଜାତିକୁ ବିସ୍ଥାପିତ କରିଦେବାର ଆଶଙ୍କା ରହିଛି। ଅର୍ଡର କରି ନ ଥିବା ପ୍ୟାକେଟ ଘରେ ପହଞ୍ଚିବାରୁ ଲୋକେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପାଖୁ ଫୋନ୍‌ ମଧ୍ୟ କରୁଛନ୍ତି। ସୁରକ୍ଷା ଦୃଷ୍ଟିିରୁ ଆମେରିକାର ୫୦ଟି ପ୍ରଦେଶରେ ଏଭଳି ପ୍ୟାକେଟ ଗ୍ରହଣ ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏବେ ଏହାର ତଦନ୍ତ ଜାରି ରହିଛି।

Share