କରୋନା ନେଲାଣି ୧୦ ଲକ୍ଷ ଜୀବନ

ୱାଶିଂଟନ,୨୯ ।୯: ସାରା ବିଶ୍ୱରେ କରୋନା ଭାଇରସ ତା’ର କାୟା ବିସ୍ତାର କରି ଚାଲିଛି । ଏବେସୁଦ୍ଧା ବିଶ୍ୱରେ କରୋନା ସଂକ୍ରମଣରେ ୧୦ ଲକ୍ଷ ଲୋକଙ୍କ ଜୀବନ ଗଲାଣି । ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ସୂଚନା ଅନୁଯାୟୀ, ଏବେ ପର୍ଯ୍ୟନ୍ତ ପ୍ରତିଦିନ ପ୍ରାୟ ୫ ହଜାର ଲୋକଙ୍କର କରୋନା ଯୋଗୁ ମୃତ୍ୟୁ ହେଉଥିବା ବେଳେ ଏବେ ମୋଟ ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଛୁଇଁଛି । କେବଳ ଆମେରିକାରେ ସର୍ବାଧିକ ୨,୦୫,୦୦୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ପଛକୁ ରହିଛି ବ୍ରାଜିଲ । ଏଠାରେ କରୋନା ମୃତ୍ୟୁ ସଂଖ୍ୟା ରହିଛି ୧,୪୨,୦୦୦ । ତେବେ ଭାରତରେ ବି ଏହି ସଂଖ୍ୟା କିଛି କମ୍ ନାହିଁ । ଭାରତରେ ଏବେସୁଦ୍ଧା କରାନା ମୃତ୍ୟୁ ସଂଖ୍ୟା ରହିଛି ୯୬,୩୧୮ । ଏହି କ୍ରମରେ ଭାରତ ତୃତୀୟ ସ୍ଥାନରେ ଥିବା ବେଳେ ମେକ୍ସିକୋ ରହିଛି ଚତୁର୍ଥ ସ୍ଥାନରେ । ଏଠାରେ ଏବେ ମୃତ୍ୟୁସଂଖ୍ୟା ୭୬ ହଜାର ଅତିକ୍ରମ କରି ସାରିଲାଣି । ତେବେ ୟୁନିଭର୍ସିଟିର ସୂଚନା ଅନୁଯାୟୀ ଏବେ କରୋନା ମୃତ୍ୟୁ ସଂଖ୍ୟା ପ୍ରତିବର୍ଷ ଏଡସ୍ ଯୋଗୁ ହେଉଥିବା ମୃତ୍ୟୁ ସଂଖ୍ୟାଠାରୁ ଅଧିକ ହୋଇଯାଇଛି । ସୂଚନାଯୋଗ୍ୟ, ଚାଇନାର ଉହାନ ସହରରୁ ୨୦୧୯ ଶେଷ ବେଳକୁ ଏହି କରୋନା ଭାଇରସ ଆସିଥିବା ବେଳେ ଏବେ ଏହା ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିସାରିଛି ।

Share