ମୁମ୍ବାଇରେ ପୁଣି ବଢ଼ୁଛି କରୋନା ମାମଲା: ମହାରାଷ୍ଟ୍ରକୁ ଚିଠି ଲେଖିଲା କେନ୍ଦ୍ର

ମୁମ୍ବାଇ,୧୬।୩: ସମଗ୍ର ଦେଶରେ ଏଚ୍‌୨ଏନ୍‌୩ ଇନ୍‌ଫ୍ଲୁଏଞ୍ଜା ଫ୍ଲୁ ବୃଦ୍ଧି ମଧ୍ୟରେ କରୋନା ଭାଇରସ୍‌ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପୁଣି ଥରେ ଲୋକଙ୍କୁ କରୋନା ଭୟ ଘାରିଲାଣି। ମଙ୍ଗଳବାର ଏଠାରେ କୋଭିଡର ୩୬ଟି ମାମଲା ସାମ୍ନାକୁ ଆସିଛି, ଯାହା ଗତ କିଛି ଦିନ ତୁଳନାରେ ଦୁଇଗୁଣ ଅଧିକ। ଏସମ୍ପର୍କରେ ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗକୁ କେନ୍ଦ୍ର ସରକାର ଏକ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ, କରୋନାର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗର ସଚିବଙ୍କୁ ଏକ ଚିଠି ଲେଖିଛି। ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ମହାରାଷ୍ଟ୍ରରେ କରୋନା ଭାଇରସ ମାମଲା ବୃଦ୍ଧି ପାଉଛି। ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଟ୍ରାକିଂ ଡେଷ୍ଟିନେଶନ୍‌ ଉପରେ ଜୋର ଦେବା ସହ କ୍ଲଷ୍ଟର ମନିଟରିଂ ଏବଂ କୋଭିଡର ଉପଯୁକ୍ତ ଆଚରଣକୁ ପାଳନ କରିବାକୁ ନିର୍ଦ୍ଦେଶ ରହିଛି।

Share