୨୦୨୧ର ପ୍ରଥମ ୩ ମାସ ମଧ୍ୟରେ ମିଳିବ କରୋନା ଟିକା: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୩।୧୧: ଦେଶରେ କରୋନା ମହାମାରୀ ଆତଙ୍କ ଥମିବାର ନାଁ ଧରୁନି। ପୁଣି କେତେକ ଅଞ୍ଚଳରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସ୍ବାସ୍ଥ୍ୟ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ସଂଖ୍ୟା ଅଧିକ ରହିଛି। ତେବେ କେତେକ ରାଜ୍ୟରେ ସ୍ଥିତି ଚିନ୍ତା ଜନକ ରହିଛି। ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତ ଭାବେ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି। ଲୋକଙ୍କ ସଚେତନ କରାଇବା ଲାଗି ପ୍ରୟାସ କରାଯାଉଛି। ଅମାନିଆଙ୍କ ପାଇଁ କେତେକ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ଦିଲ୍ଲୀର କରୋନା ମହାମାରୀ ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ,ଏହାକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ୟମ କରାଯାଉଛି। ଯେଉଁ ସବୁ ରାଜ୍ୟରେ କରୋନା ପୁଣି ଫେରିଛି, ସେସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀଘ୍ର ଆଲୋଚନା କରିବେ ବୋଲି ସେ କହିଛନ୍ତି। ୨୦୨୧ର ପ୍ରଥମ ୩ ମାସ ମଧ୍ୟରେ ଦେଶରେ କରୋନା ଟିକା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସେପ୍ଟେମ୍ବର ୨୦୨୧ ସୁଦ୍ଧା ୨୫ରୁ ୩୦ କୋଟି ଭାରତୀୟଙ୍କୁ କରୋନା ଟିକା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Share