୬ ମାସରେ ୧ରୁ ୧କୋଟି ଛୁଇଁଲା କରୋନା

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୮।୬: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ୨୦୬ଟି ଦେଶରେ କରୋନା ନିଜର କାୟା ବିସ୍ତାର କରିସାରିଛି। କରେନା ସଂକ୍ରମଣର ପ୍ରଥମ ଘଟଣା ୨୦୧୯ ଡିସେମ୍ବରରେ ଚିହ୍ନଟ ହୋଇଥିଲା। ଏହାପରେ ମାତ୍ର ୬ ମାସ ମଧ୍ୟରେ କରୋନା ସଂକ୍ରମଣ ୧ରୁ ୧ କୋଟି ଟପିଛି। ଫେବୃୟାରୀ ଶେଷ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ଛୁଇଁଥିବାବେଳେ ମାର୍ଚ୍ଚ ଶେଷ ବେଳକୁ ଏହି ସଂଖ୍ୟା ୭ଲକ୍ଷ ୫୦ ହଜାର ଟପିଥିଲା। ରବିବାର ସୁଦ୍ଧା ପୃଥିବୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କୋଟିଏ ୮୨ ହଜାର ୬୧୮ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୫ ଲକ୍ଷ ହଜାରେ ୩୦୯ ଛୁଇଁଛି। ଗତ ୨୪ ଘଣ୍ଟାରେ ଲକ୍ଷେ ୭୬ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଇତିମଧ୍ୟରେ ୫୪ ଲକ୍ଷ ୫୮ ହଜାର ୫୨୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୪୧ ଲକ୍ଷ ୨୨ ହଜାର ୭୮୬ ଜଣ ଚିକିତ୍ସିତ ହେଉଛନ୍ତି। ଜାନୁୟାରୀ ୯ରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହାପରେ ୧୭୦ ଦିନ ମଧ୍ୟରେ ମୃତକଙ୍କ ସଂଖ୍ୟା ୫ ଲକ୍ଷ ଟପିଛି ଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର ପୃଥିବୀରେ ୫୫ ପ୍ରତିଶତରୁ ଅଧିକ ରହିଛି। ଅପରପକ୍ଷରେ ମୃତ୍ୟୁ ହାର ୫ ପ୍ରତିଶତ ରହିଛି। ୨୦୦୩ରେ ସାର୍ସ ସଂକ୍ରମଣ ଯୋଗୁ ମୃତ୍ୟୁ ହାର ୧୫ ପ୍ରତିଶତ ଥିଲା। ସେହିପରି ୨୦୧୫ରେ ମର୍ସ ସଂକ୍ରମଣ ଯୋଗୁ ମୃତ୍ୟୁ ହାର ୩୫ ପ୍ରତିଶତ ରହିଥିଲା। ମାତ୍ର କରୋନା ସଂକ୍ରମଣ କ୍ଷେତ୍ରରେ ମୃତ୍ୟୁ ହାର ଯଥେଷ୍ଟ କମ୍‌ ରହିଥିବା କୁହାଯାଉଛି।

Share