କରୋନା: ଓଡ଼ିଶାରେ ମୃତ୍ୟୁ ହାର ଜାତୀୟଠୁ କମ୍‌

ଭୁବନେଶ୍ୱର, ୧୬।୯ (ବ୍ୟୁରୋ) :ରାଜ୍ୟରେ କରୋନାସ୍ଥିତି ଅଣାୟତ୍ତ ସ୍ଥିତିରେ ରହିଛି। ସଂକ୍ରମଣ ସହ ମୃତ୍ୟୁ ମଧ୍ୟ ବଢ଼ୁଛି। ଶେଷ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୩,୬୪୫ଜଣ ସଂକ୍ରମିତ ହୋଇଥିବାବେଳେ ୮ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୬୫୦ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁ ୬୪୫ ଛୁଇଁଛି। ହେଲେ ଜାତୀୟ ସ୍ଥିତି ତୁଳନାରେ ଓଡ଼ିଶା ଭଲରେ ଅଛି। ବିଶେଷକରି ମୃତ୍ୟୁ ହାର ବହୁତ କମ୍‌ ରହିଛି।  ଦେଶରେ କରୋନାଜନିତ ମୃତ୍ୟୁହାର ୧.୬୫% ରହିଥିବାବେଳେ ଓଡ଼ିଶାରେ ମାତ୍ର ୦.୪୨% ରହିଛି। ଏହା ଦେଶର ତୃତୀୟ ସର୍ବନିମ୍ନ ମୃତ୍ୟୁ ହାର। ଆସାମରେ ସବୁଠାରୁ କମ୍‌ ୦.୩୨% ଓ ଦ୍ୱିତୀୟରେ ଥିବା କେରଳରେ ମୃତ୍ୟୁହାର ୦.୪୦% ରହିଛି।  ରାଜ୍ୟରେ ମୃତ୍ୟୁହାର କମ୍‌ ରହିଥିବାରୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି। କୋଭିଡ୍‌ ମୁକାବିଲା ପାଇଁ ହୋଇଥିବା ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସହିତ ଉପଯୁକ୍ତ ଚିକିତ୍ସା ଯୋଗୁ ଅନେକ ଜୀବନକୁ ବଞ୍ଚାଇବାରେ ସଫଳ ହୋଇପାରିଛୁ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି।ଅପରପକ୍ଷରେ ସଂକ୍ରମଣରେ ଶୀର୍ଷରେ ରହିଥିବା ଖୋର୍ଦ୍ଧା ଜିଲାରେ ସ୍ଥିତି ସୁଧୁରୁନି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଏହି ଜିଲାରୁ ପୁଣି ରାଜ୍ୟର ସର୍ବାଧିକ ୫୧୭ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକ ୩୫୭, ପୁରୀ ୨୪୬, ବରଗଡ଼ ୧୫୭, ବାଲେଶ୍ୱର ୧୫୬, ଭଦ୍ରକ ୧୪୩, ମୟୂରଭଞ୍ଜ ୧୩୭, ସମ୍ବଲପୁର ୧୨୭ ଓ ଯାଜପୁରରୁ  ୧୧୬ଜଣ ରହିଥିବାବେଳେ ବାକିସବୁ ଜିଲାରେ ଏହାଠାରୁ କମ୍‌ ଆକ୍ରାନ୍ତ ବାହାରିଛନ୍ତି। ସେହିଭଳି  ଆଉ ୮ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।  କଟକ ଜିଲାରୁ ସର୍ବାଧିକ ୩ଜଣ ଥିବାବେଳେ ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ସୁବର୍ଣ୍ଣପୁର ଓ ସମ୍ବଲପୁରରୁ ଜଣେ ଲେଖାଏ ରହିଛନ୍ତି। ତେବେ ବୌଦ୍ଧ ଜିଲାରେ ଏହା ହେଉଛି ପ୍ରଥମ କରୋନା ମୃତ୍ୟୁ। ଏହାକୁ ମିଶାଇ ରାଜ୍ୟର ୨୮ ଜିଲାରେ କରୋନା ମୃତ୍ୟୁ ହୋଇସାରିଥିବାବେଳେ କେବଳ ନୂଆପଡ଼ା ଓ ଦେବଗଡ଼ ବାକି ରହିଛି। ସେପଟେ ଦିନକରେ ଆଉ ୩,୭୧୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ଫଳରେ ରାଜ୍ୟରେ ଏବେ ଆରୋଗ୍ୟ ସଂଖ୍ୟା ୧,୨୫,୭୩୮କୁ ବୃଦ୍ଧି ପାଇଛି।  ବର୍ତ୍ତମାନ ରାଜ୍ୟରେ ୩୨,୯୧୨ଜଣ ସକ୍ରିୟ ରୋଗୀ ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥ୍ୟରୁ ଜଣାପଡିଛି।