ଚାଇନା-ଆମେରିକା-ୟୁରୋପରେ କରୋନା ଆତଙ୍କ…

ବେଜିଂ/ଓ୍ବାଶିଂଟନ,୧୯।୩ : ଚାଇନା, ଆମେରିକା, ଦକ୍ଷିଣ ପୂର୍ବ ଏସିଆ ଏବଂ ୟୁରୋପରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି। ଚାଇନାରେ କରୋନାରୁ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟିଛି। ନ୍ୟୁଜ ଏଜେନ୍ସି ଏଏଫ୍‌ପି ଅନୁଯାୟୀ, ଏକ ବର୍ଷରୁ ଅଧିକ ସମୟ ପରେ ଚାଇନାରେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

ଚାଇନାରେ କରୋନା ମହାମାରୀର ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି। ଫେବୃଆରୀ ୨୦୨୦ ପରେ ଏଠାରେ ସବୁଠାରୁ ଖରାପ ପରିସ୍ଥିତି ସୃଷ୍ଟି ହୋଇଛି। କିଛି ଦିନ ହେବ ଚାଇନାରେ ଲଗାତାର ଦୈନିକ ୩ ହଜାରରୁ ଅଧିକ ମାମଲା ଦେଖିବାକୁ ମିଳୁଛି।

ପୃଥିବୀରେ ଦୈନିକ ମାମଲାରେ ହାରାହାରି ସଂଖ୍ୟା ୧୨ ପ୍ରତିଶତ ବୃଦ୍ଧି ହୋଇ ଏହା ୧୮ ଲକ୍ଷକୁ ବୃଦ୍ଧି ପାଇଛି। ଏହି ସପ୍ତାହରେ ଫ୍ରାନ୍ସରେ କରୋନା ମାମଲାରେ ୩୫ ପ୍ରତିଶତ ବୃଦ୍ଧି ଘଟିଛି। ଯେଉଁଠାରେ ଇଟାଲୀ ଏବଂ ବ୍ରିଟେନରେ ୪୨ ପ୍ରତିଶତ ବୃଦ୍ଧି ପାଇଛି।

ଆମେରିକାରେ କରୋନାର ୨୦ ମିଲିୟନରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ତେବେ ଗତ କିଛି ସପ୍ତାହ ମଧ୍ୟରେ ଦୈନିକ ସଂକ୍ରମଣରେ ମଧ୍ୟ ହ୍ରାସ ଘଟିଛି। କିନ୍ତୁ ବିପଦ ଏବେ ବି ରହିଛି। ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ଘଟୁଛି।

ମାର୍ଚ୍ଚ ୧୮ ରେ, କେବଳ ଜର୍ମାନୀରେ ପ୍ରାୟ ଦୁଇ ଲକ୍ଷ ନୂଆ ମାମଲା ରୁଜୁ ହୋଇଛି। ଇଂଲଣ୍ଡ, ନେଦରଲ୍ୟାଣ୍ଡ, ସ୍ବିଜରଲାଣ୍ଡ ଏବଂ ଇଟାଲୀରେ ନୂଆ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ ଡେଲଟାକ୍ରନ ମାମଲା ସାରା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଡେଲଟାକ୍ରନ ମାମଲା ପୃଥିବୀରେ ଏକ ନୂଆ ଲହର ସୃଷ୍ଟି କରିବାର ଆଶଙ୍କା ରହିଛି। ସିଙ୍ଗାପୁର, ଭିଏତନାମ ଏବଂ ୟୁରୋପରେ କରୋନାର ନୂତନ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, ତେଣୁ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି।

Share