ସ୍କୁଲରେ କରୋନା ଆତଙ୍କ, ୭୯ ଛାତ୍ରୀଛାତ୍ର-୩ କର୍ମଚାରୀ ପଜିଟିଭ୍‌…

ଶିମଲା,୨୨।୯: ହିମାଚଳ ପ୍ରଦେଶର ଏକ ସ୍କୁଲରେ କରୋନା ଆତଙ୍କ ଦେଖାଦେଇଛି। ସ୍କୁଲର ୭୯ ଛାତ୍ରୀଛାତ୍ର ଏବଂ ୩ ଜଣ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ମଣ୍ଡି ଅଞ୍ଚଳରେ ଥିବା ଧରମପୁରସ୍ଥିତ ଏକ ସ୍କୁଲରେ ଏଭଳି ଆତଙ୍କ ସୃଷ୍ଟି ହୋଇଛି। ଏହାକୁ ନେଇ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ସ୍କୁଲକୁ ତୁରନ୍ତ ବନ୍ଦ କରାଯିବା ସହିତ ସମଗ୍ର ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି।

ରାଜ୍ୟରେ ସେପ୍ଟେମ୍ବର ୨୫ରୁ ସ୍କୁଲ ଖୋଲାଯିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ନେଇ ଏବେ ଅନିଶ୍ଚିତତା ସୃଷ୍ଟି ହୋଇଛି। ପୂର୍ବରୁ ସେପ୍ଟେମ୍ବର ୨୧ରେ ସମସ୍ତ ସ୍କୁଲ ଖୋଲିବା ଲାଗି ଯୋଜନା କରାଯାଇଥିଲା। ତେବେ ଏହାକୁ ପରବର୍ତ୍ତୀ ସମୟରେ ରଦ୍ଦ କରାଯାଇଥିଲା। ଆବାସିକ ବିଦ୍ୟାଳୟକୁ ଛାଡ଼ି ଅନ୍ୟ ସମସ୍ତ ସ୍କୁଲ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସ୍କୁଲ ବନ୍ଦ ରହିଲେ ମଧ୍ୟ ଶିକ୍ଷୟିତ୍ରୀ ଏବଂ ଶିକ୍ଷକ ତଥା ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ଜାରି ହୋଇଛି। ରାଜ୍ୟରେ ଅଗଷ୍ଟ ୨ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲା ଯାଇଥିଲା। ତେବେ ପିଲାଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରୁ ଏକ ସପ୍ତାହ ମଧ୍ୟରେ ସମସ୍ତ ଅଫ୍‌ଲାଇନ୍‌ କ୍ଲାସକୁ ବନ୍ଦ କରାଯାଇଥିଲା।

ଅଗଷ୍ଟ ୨୨ରେ ସ୍କୁଲ ଖୋଲିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିବାବେଳେ ପୁଣି ଏହାକୁ ଗୁଞ୍ଚାଇ ସେପ୍ଟେମ୍ବର ୨୧ କରାଯାଇଥିଲା। ଏବେ ଛାତ୍ରୀଛାତ୍ରମାନେ ଅନ୍‌ଲାଇନ୍‌ରେ ପାଠ ପଢୁଛନ୍ତି। ରାଜ୍ୟରେ ଜୁଲାଇରେ ସଂକ୍ରମଣ ହାର ୦.୯ ପ୍ରତିଶତ ଥିଲା। ମାତ୍ର ବର୍ତ୍ତମାନ ଏହା ୨ ପ୍ରତିଶତ ଛୁଇଁଛି। ଏନେଇ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share